ସମ୍ବଲପୁର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରିବା ସହ ବ୍ୟବସ୍ଥା ପରିବର୍ତ୍ତନ କରିବାକୁ ଦାବି କରିଛି ରାଜ୍ୟ କିଷାନ କଂଗ୍ରେସ । ଏନେଇ ଗୁରୁବାର ସମ୍ବଲପୁରରେ ପ୍ରତିବାଦ କରାଯିବା ସହ ଆରଡିସିଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ବିରୋଧ କରିଛି ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି । କମିଟି ପକ୍ଷରୁ ସମ୍ବଲପୁରର ଆରଡିସି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହିତ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କିଷାନ କଂଗ୍ରେସ ଅଭିଯୋଗ କରିଛି ଯେ, ଚଳିତ ଧାନସଂଗ୍ରହ ସମୟରେ ସମଗ୍ର ରାଜ୍ୟରେ ଚାଷୀଙ୍କୁ ଧାନ ବିକ୍ରି କରିବାରେ ସମସ୍ୟା ଦେଖାଦେଉଛି । ଏଥିସହ ଧାନବିକ୍ରି ପାଇଁ ଟୋକନ ବ୍ୟବସ୍ଥା ନେଇ ସମସ୍ୟା ଦେଖାଯାଇଛି । ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଛି ।
ସେହିପରି କିଷାନ କଂଗ୍ରେସ ଚାଷୀଙ୍କୁ କୁଇଣ୍ଟାଲ ପିଛା 500ଟଙ୍କା ବୋନସ ପ୍ରଦାନ ସହ ଅଣଜଳସେଚିତ ଅଞ୍ଚଳରେ 16 କୁଇଣ୍ଟାଲ ଓ ଜଳସେଚିତ ଅଞ୍ଚଳରେ 22 କୁଇଣ୍ଟାଲ ଧାନ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ