ସମ୍ବଲପୁର: ଦିବ୍ୟାଙ୍ଗ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କେନାଲ ପଡ଼ାରେ ଘଟିଛି ଏହି ଘଟଣା । ଘଟଣାଟି ଗତ 29 ତାରିଖରେ ଘଟିଥିଲେ ମଧ୍ୟ ପ୍ରଘଟ ହୋଇନଥିଲା । ତେବେ ଏହି ଘଟଣାଟି ବୁଧବାର ପ୍ରଘଟ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଦିବ୍ୟଙ୍ଗ ନାବାଳିକା ଓ ତାଙ୍କ 2 ଛୋଟ ଭାଇକୁ ଗତ 29 ତାରିଖ ସକାଳ 5 ଟା ସମୟରେ ବିଧବା ମାଆ ଘର ବାହାର ପଟୁ ତାଲା ପକାଇ ଶୌଚ ହେବାକୁ ଯାଉଥିଲେ । ଏହି ସମୟରେ ଘର ପାଖର ଜଣେ ଯୁବକ ଏହି ଅବସରର ଫାଇଦା ନେଇ ଘରର ତାଲା ଭାଙ୍ଗି ଦୁଷ୍କର୍ମ କରିଥିବାର ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ନିଜେ ପିଡ଼ିତାଙ୍କ ମାଆ ସେଦିନ ଶୌଚ କରି ଘରକୁ ଫେରିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି ଜଣେ ଯୁବକ ତାଙ୍କ ନାବାଳିକା ଝିଅ ସହ ଅତ୍ୟାଚାର କରିଥିବା ଦେଖିଥିଲେ ।
ପୀଡ଼ିତାଙ୍କ ମାଆ ଦୁଷ୍କର୍ମକାରୀ ଯୁବକଙ୍କୁ କାବୁ କରି ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫେରାର ହୋଇଯାଇଥିଲା ବୋଲି ଏତଲାରେ ଲେଖିଛନ୍ତି । ଅଇଁଠାପାଲି ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ