ସମ୍ବଲପୁର: ଶ୍ରମିକଙ୍କ ଦୁଃଖ ବୁଝିଛନ୍ତି ଶ୍ରମ ମନ୍ତ୍ରୀ । ମଧ୍ୟରାତ୍ରିରେ ଅସୁବିଧାରେ ପଡିଥିବା ଶ୍ରମିକଙ୍କୁ ଖାଦ୍ୟ ଓ ସାନିଟାଇଜର ବାଣ୍ଟିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ଏମିତି ଘଟଣା ଘଟିଛି ସମ୍ବଲପୁର ବୁର୍ଲା ନିକଟସ୍ଥ ଗୋଲଗୁଣ୍ଡା ଗ୍ରାମରେ ।
ଗୁରୁବାର ଅପରାହ୍ନ 4ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଥିବା କେତୋଟି ଇଟାଭାଟିରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଖାଦ୍ୟପେୟ ପାଇନଥିଲେ । ଖବର ପାଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ରାତ୍ରି ପ୍ରାୟ 12ଟା 20ରେ ଏଠାକୁ ଆସି ସେମାନଙ୍କୁ ଖାଦ୍ୟ ଓ ସାନିଟାଇଜର ବାଣ୍ଟିଥିଲେ । ଏହି ଖବର ମିଳିବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମ ଅଧିକାରୀ ଏହି ଶ୍ରମିକଙ୍କୁ ଭେଟି ତାଙ୍କର ଅସୁବିଧା ବୁଝିଛନ୍ତି ।
ଲକଡାଉନ ହେବାର ଶୁକ୍ରବାର ହେଉଛି 10ମ ଦିନ । ତେବେ ଏଥିଯୋଗୁଁ ଗୋଲଗୁଣ୍ଡା ଅଞ୍ଚଳରେ ପ୍ରାୟ 39 ଜଣ ଶ୍ରମିକ ଓ କିଛି କବାଡିବାଲା ଅସୁବିଧାରେ ରହି ଆସୁଛନ୍ତି । ସେମାନେ ସମସ୍ତେ ଉତ୍ତରପ୍ରଦେଶ ଓ ସୁନ୍ଦରଗଡ ଅଞ୍ଚଳର ବାସିନ୍ଦା । ଲକଡାଉନ ହେବା ପରେ ଏମାନେ ଏଠାରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ସମ୍ବଲପୁର ଲେବର ଅଫିସରଙ୍କ ନିଜସ୍ବ ତତ୍ତ୍ବାବଧାନରେ 'ସମ୍ବଳ' ଓ 'ସ୍ବଇଚ୍ଛା' ସ୍ବେଛାସେବୀ ସଙ୍ଗଠନର ଯୁବକ ଏହି ଶ୍ରମିକଙ୍କୁ ଶୁକ୍ରବାର ରନ୍ଧା ଖାଦ୍ୟ ଦେଇଛନ୍ତି ।
ମନ୍ତ୍ରୀ ସୁଶାନ୍ତ ସିଂ ଗୁରୁବାର ରାତିରେ ନିଜେ ଆସି ଏହି ଶ୍ରମିକଙ୍କୁ ଖାଦ୍ୟପେୟ ଓ ସାନିଟାଇଜର ବାଣ୍ଟିବା ପରେ ଶୁକ୍ରବାର ପ୍ରଶାସନ ଚେତିଛି । ଆଉ ଏହି ଯୁବକମାନେ ମଧ୍ୟ ନିଜର ସେବା ଆରମ୍ଭ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ