ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବାବେଳେ ବର୍ତ୍ତମାନ 604.97 ଫୁଟ ଜଳସ୍ତର ରହିଛି l ଆଉ ଏହାକୁ ପରିପୂର୍ଣ୍ଣ ହେବାକୁ ଆହୁରି ପ୍ରାୟ 25 ଫୁଟ ଉଚ୍ଚତା ବାକି ରହିଛି l ତେବେ ଗତ କିଛି ଦିନ ପୂର୍ବେ ହୀରାକୁଦର ଉପର ମୁଣ୍ଡରେ ଥିବା ଛତିଶଗଡର କଲମା ବ୍ୟାରେଜରୁ ବହୁ ପରିମାଣର ବନ୍ୟା ଜଳ ଆସିଥିବାବେଳେ ଏବେ ହୀରାକୁଦରେ ପର୍ଯ୍ୟାପ୍ତ ଜଳ ରାଶି ଅଛି l ବର୍ତ୍ତମାନ ବର୍ଷା ଦିନ ଚାଲିଥିବାବେଳେ ରୁଲ କର୍ଭ ଅନୁସାରେ କେଉଁ ସମୟରେ କେତେ ଜଳ ରହିବା କଥା l ଏହାର ବନ୍ୟା ଜଳ ପରିଚାଳନା କିପରି କରାଯାଏ ଏନେଇ ଅନେକ ପ୍ରଶ୍ନ ଉଠିଥାଏ l ତେବେ ଆସନ୍ତୁ ଜାଣିବା ବର୍ତ୍ତମାନର ପରିବର୍ତ୍ତିତ ପାଣିପାଗ ଓ ଜଳବାୟୁରେ ଏହାର ବନ୍ୟା ଜଳ ପରିଚାଳନା କିପରି ହୋଇଥାଏl
ତେବେ ବର୍ତ୍ତମାନ ସ୍ଥିତିରେ ଆବଶ୍ୟକତା ଠାରୁ 4 ଫୁଟ ଅଧିକ ଜଳ ରହିଛି l ଆଉ ଆଗକୁ ଜୁଲାଇ ମାସରେ ହୀରାକୁଦ ଉପର ମୁଣ୍ଡରେ ବର୍ଷା ନହେଲେ ମଧ୍ୟ ମାସ ତମାମ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଜଳ ରାଶି ଥିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ଜୁଲାଇ ମାସରେ ହୀରାକୁଦ ଡ୍ୟାମ ବନ୍ୟା ଜଳ ପରିଚାଳନା ପାଇଁ ରୁଲ କର୍ଭର କୌଣସି ଆବଶ୍ୟକତା ନଥିବା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ l ତେବେ ଅଗଷ୍ଟ ମାସରୁ ବନ୍ୟା ଜଳ ପରିଚାଳନା ପାଇଁ ରୁଲ କର୍ଭର ଆବଶ୍ୟକତା ପଡିଥାଏ l
ମୁଖ୍ୟତଃ ହୀରାକୁଦ ନଦୀବନ୍ଧ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ। ତେବେ ବନ୍ୟା ନିୟନ୍ତ୍ରଣ ହୋଇଥିବାରୁ ବର୍ଷା ଦିନେ ଏହାକୁ ପାଖାପାଖି 20 ରୁ 25 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଖାଲି ରଖା ଯାଇଥାଏ l ଫଳରେ ଏହାର ଉପରମୁଣ୍ଡରୁ ଅଚାନକ ବହୁ ପରିମାଣରେ ବନ୍ୟା ଜଳ ଆସିଲେ ତାକୁ ଡ୍ୟାମରେ ମହଜୁଦ ରଖାଯାଇ ଗେଟ୍ ବନ୍ଦ ରଖାଯିବା ସହ ହୀରାକୁଦ ତଳମୁଣ୍ଡର ଜିଲ୍ଲା ଗୁଡିକରେ ବନ୍ୟାକୁ ରୋକା ଯାଇଥାଏ l ସୂଚନା ଅନୁସାରେ, ବର୍ଷା ଦିନେ ହୀରାକୁଦ ଡ୍ୟାମର ଉପର ମୁଣ୍ଡ ମହାନଦୀ ଅବବାହିକାରେ ଯେତେ ପରିମାଣର ବର୍ଷା ହୁଏ ସେହି ବର୍ଷାର ବନ୍ୟା ଜଳରେ ହୀରାକୁଦ ପରି 6 ଟି ଡ୍ୟାମ ପରିପୂର୍ଣ ହୋଇପାରିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ l
ଏହା ମଧ୍ୟ ପଢନ୍ତୁ...ଇନ୍ଦ୍ରାବତୀର ବହୁମୁଖି ପ୍ରକଳ୍ପରୁ ଜଳ ଯୋଗାଣ, ଆରମ୍ଭ ହେଲା ଖରିଫ ଚାଷ
ତେବେ ବର୍ଷା ଦିନ ଶେଷ ଅର୍ଥାତ୍ ଅକ୍ଟୋବର ମାସ ପ୍ରଥମ ସପ୍ତାହ ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର 625 ରୁ 630 ଫୁଟ ମଧ୍ୟରେ ରଖାଯାଇଥାଏ l ତେବେ ଜୁଲାଇ 31 ପରେ ହୀରାକୁଦ ଡ୍ୟାମର ଜଳସ୍ତର ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଥାଏ l ତେବେ ବର୍ତ୍ତମାନ ହୀରାକୁଦରେ ପର୍ଯ୍ୟାପ୍ତ ଜଳ ରହିଛି ଓ ଦୈନିକ 260 ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଣାପଡିଛି । ତେବେ ଜୁନ 15 ତାରିଖରୁ ଜଳସେଚନ ପାଇଁ ଜଳ ଛଡ଼ା ଯାଉଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଯନ୍ତ୍ରୀ l ମିଳିଥିବା ସୂଚନା ଅନୁସାରେ, ବର୍ଷ ଶେଷ ବେଳକୁ ଯଦି ହୀରାକୁଦ ଜଳ 630 ଫୁଟରେ ନ ପହଞ୍ଚୁଛି ତାହେଲେ ପ୍ରତି ଫୁଟ ପିଛା 120 କୋଟିର କ୍ଷତି ହୋଇଥାଏ l ଜଳସେଚନ, ବିଦ୍ୟୁତ ଉତ୍ପାଦନ ସହ ଅନ୍ୟାନ୍ୟ ବ୍ୟବହାରକୁ ନେଇ ଏହି ହିସାବ କରାଯାଏ l ତେବେ ହୀରାକୁଦର ବନ୍ୟା ଜଳ ପରିଚାଳନା ଅତ୍ୟନ୍ତ ସତର୍କତାର ସହ କରାଯାଇଥାଏ l
ଇଟିଭି ଭାରତ, ସମ୍ବଲପୁର