ସମ୍ବଲପୁର: ଝାରସୁଗୁଡା ରୋଡ଼ ଷ୍ଟେସନରେ ଜଣେ ଯୁବତୀକୁ ସମ୍ବଲପୁର ଆରପିଏଫ ଉଦ୍ଧାର କରିଛି । ଯୁବତୀ ସହିତ ଥିବା ଆହୁରି 8 ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନାନୁଯାୟୀ, ସମ୍ବଲପୁରର ଜଣେ ଯୁବତୀକୁ ମଧ୍ୟପ୍ରଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଗତକାଲି ସମ୍ବଲପୁର ଆରପିଏଫ ଏକ ଫୋନ କଲ ପାଇ ଝାରସୁଗୁଡା ରୋଡ଼ ଷ୍ଟେସନରୁ ପୁରୀ-ବିକାନେର ଟ୍ରେନରୁ ଏହି ଯୁବତୀକୁ ଉଦ୍ଧାର କରିଥିଲେ । ଯୁବତୀ ଜଣକ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳର ହୋଇଥିବାରୁ ଆରପିଏଫ ବୁର୍ଲା ପୋଲିସକୁ ଏହି ମାମଲାକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ବୁର୍ଲା ପୋଲିସ ଯୁବତୀର ସମ୍ପର୍କୀୟଙ୍କୁ ଡକାଇ ଘଟଣାର ତଦନ୍ତ କରୁଛି ।
ତେବେ ଅଭିଯୁକ୍ତ ପକ୍ଷ ଯୁବତୀକୁ ବିବାହ କରି ଘରକୁ ନେଉଥିବାର କହୁଥିବାବେଳେ ଝିଅର ସମ୍ପର୍କୀୟ ଲୋକେ ଝିଅଟି ନାବାଳିକା ଓ ତାକୁ ବିବାହ କରାଯାଇନି ବୋଲି କହୁଥିବା ଜଣାପଡିଛି । ଯୁବତୀ ଜଣଙ୍କ କେଉଁ ପରିସ୍ଥିତିରେ ଟ୍ରେନରେ ଆସିଲେ ଓ କେଉଁ ସ୍ଥାନକୁ ତାଙ୍କୁ ନିଆଯାଉଥିଲା, ପ୍ରକୃତରେ ତାଙ୍କର ବିବାହ ହୋଇଛି ନା ନାହିଁ ଏ ସମସ୍ତ ସମ୍ବନ୍ଧରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ