ସମ୍ବଲପୁର: ଏକ ବିସ୍ଥାପିତ ଦିବ୍ୟାଙ୍ଗ ପରିବାରକୁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ରହୁଥିବା ଏକ ଦିବ୍ୟାଙ୍ଗ ପୂଜକଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ ହୋଇଛି । ପୂଜକ ଜଣକ ନିଜେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଉଭୟ ପୁଅ ଓ ଝିଅ ମଧ୍ୟ ଦିବ୍ୟାଙ୍ଗ । ସମଲେଇ ଯୋଜନାରେ ଏହି ପରିବାର ବିସ୍ଥାପିତ ହୋଇଥିବା ବେଳେ ତାଙ୍କୁ ଯେଉଁ ସ୍ଥାନଟି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ଅଧିକାରୀ ପ୍ରତିଶ୍ରୃତି ଦେଇଥିଲେ ସେହି ଜାଗା ଦେଇନଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା
ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରିନଥିବାରୁ ଦିବ୍ୟାଙ୍ଗ ପୂଜକଙ୍କ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରତିଶ୍ରୁତି ମୁତାବକ ଜାଗା ଦିଆନଗଲେ ସପରିବାର ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ସମଲେଇ ଯୋଜନାର ବିସ୍ଥାପିତ ଦିବ୍ୟାଙ୍ଗ ପୂଜକ ପରିବାର ସହ ଜିଲ୍ଲା ପ୍ରଶାସନ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ପୂଜକ ସାରଙ୍ଗ ରାୟ । ସମଲେଇ ଯୋଜନାରେ ବିସ୍ଥାପିତ ହୋଇ ସମ୍ବଲପୁରର ସମଲେଇ ମନ୍ଦିରର ଦିବ୍ୟାଙ୍ଗ ପୂଜକ ସାରଙ୍ଗ ରାୟଙ୍କ ପରିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ପାଇଥିଲେ । ଏହି ପରିବାର ଜମି ଚିହ୍ନଟ କରି ଭୂମିପୂଜା ମଧ୍ୟ କରି ସାରିଥିଲେ । ଏବେ କିନ୍ତୁ ଘର ନିର୍ମାଣ କରିବା ପାଇଁ ଯିବା ପରେ ସେହି ଜମିକୁ ଅନ୍ୟ ଏକ ପରିବାର ମାଡି ବସିଥିବା ଅଭିଯୋଗ ହୋଇଛି ।
ଦିବ୍ୟାଙ୍ଗ ପୂଜକ ସାରଙ୍ଗ ରାଏ ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ପୁଅ ଓ ଝିଅ ମଧ୍ୟ ଦିବ୍ୟାଙ୍ଗ ଅଟନ୍ତି । ସମଲେଇ ଯୋଜନାରେ ଘର ଉଚ୍ଛେଦ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇ ଏହି ପରିବାରର ଦସ୍ତଖତ ନେଇ ଅଢେଇ ଡିସିମିଲ ଜମି ପ୍ରଦାନ କରିବା ପାଇଁ କହିଥିଲେ । ଏଥିପାଇଁ ସ୍ଥାନ ମଧ୍ୟ ଚିହ୍ନଟ ହୋଇଥିଲା । ଗତ ଅକ୍ଷୟ ତୃତୀୟାରେ ଘର ନିର୍ମାଣ ପାଇଁ ଭୂମିପୂଜନ ମଧ୍ୟ କରି ସାରିଥିଲେ । ହେଲେ ଏଵେ ଘର ନିର୍ମାଣ ପାଇଁ ଯିବା ବେଳେ ସେହି ଜମିକୁ ଅନ୍ୟ କାହାକୁ ଦିଆଯାଇଥିବା ଜାଣିବାକୁ ପାଇଥିଲେ ।
ଏନେଇ ଉପଜିଲ୍ଲାପାଳ ଓ ଭୁଅର୍ଜନ ଅଧିକାରୀକୁ ଅଭିଯୋଗ କରିବାରୁ ଦିବ୍ୟାଙ୍ଗ ପୂଜକ ପରିବାରକୁ ଧମକ ଚମକ ଦେଇ ଜମି ନଦେବା ପାଇଁ କୁହାଯାଇଥିବା ଅଭିଯୋଗ ହୋଇଛି। ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଘଟଣା ବିଷୟରେ ଜିଲ୍ଲାପାଳ ଅନନ୍ୟା ଦାସ ଜାଣିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ଏଥିରେ କୌଣସି ଭୁଲ ବୁଝାମଣା ହେବା ସହ ତଦନ୍ତ ପରେ ଯେଉଁ ସ୍ଥାନ ଦିଆଯିବା ପାଇଁ ପ୍ରତିଶ୍ରୃତି ଦିଆଯାଇଥିଲା ତାହା ହିଁ ଦିଆଯିବ ବୋଲି ଦିବ୍ୟାଙ୍ଗ ପରିବାରକୁ ଆଶ୍ୱସନା ଦେଇଛନ୍ତି । ପ୍ରଶ୍ନ ଉଠୁଛି ଯେ ଉଚ୍ଛେଦ ସମୟରେ ଏହି ଦିବ୍ୟାଙ୍ଗ ପୂଜକ ପରିବାରକୁ ଉପଯୁକ୍ତ ସ୍ଥାନ ଦେବା ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ଅଧିକାରୀ ଦସ୍ତାବିଜରେ ଦସ୍ତଖତ କରି ନେଇଥିବା ବେଳେ ପରେ କାହିଁକି ହଇରାଣ କରାଯାଉଛି ?
ଇଟିଭି ଭାରତ, ସମ୍ବଲପୁର