ରାୟଗଡା: ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ । ଦୀର୍ଘ ଦିନ ଧରି ଭତ୍ତା ଟଙ୍କା ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଆସୁଥିଲା । ଏହାକୁ ଆଧାର କରି ରାୟଗଡା ଭିଜିଲାନ୍ସ ବିଭାଗ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟରେ ଚଢ଼ାଉ କରିଛି ।
ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ବଣ୍ଟା ଯାଇଥିବା ଅଭିଯୋଗର ଭିଜିଲାନ୍ସ ଆରମ୍ଭ କରିଛି ଖୋଳତାଡ । ରାୟଗଡା ପୌର ପରିଷଦରେ ଗତ 2017ରୁ 2020 ତିନି ଆର୍ଥିକ ବର୍ଷରେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଲକ୍ଷାଧିକ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି ।
ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିବାବେଳେ ବାର୍ଦ୍ଧକ୍ୟ ଭତ୍ତା ଏବଂ ମୃତ୍ୟୁ ରେଜିଷ୍ଟରକୁ ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଉଠାଯାଇଥିବା ବଳକା ଟଙ୍କା ପୈଠ କରାଯାଇ ନଥିବା ଏବଂ ଅନ୍ୟାନ୍ୟ ବିଭାଗର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । କିଛି ଅନିୟମିତତାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ