ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକରେ ଆଦିବାସୀଙ୍କ ପାରମ୍ପରିକ ପର୍ବ ମଧ୍ୟରୁ ‘‘ମାଳିଚଗା’’ ଏକ ପ୍ରମୁଖ ପର୍ବ । ଚଳିତ ବର୍ଷ ଏହି ପର୍ବ କାଶୀପୁର ବ୍ଳକ ଅନ୍ତର୍ଗତ ଡାକିଲି ଗ୍ରାମର ପର୍ବତ ଶିଖରରେ ରହିଥିବା ଏକ ବିଶାଳ ଗୁମ୍ଫା ମଧ୍ୟରେ ପ୍ରତିଷ୍ଠିତ ମା’ ସତ୍ୟଦେବୀଙ୍କ ପୀଠରେ ଏହି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।
ଏହି ପର୍ବ ଫସଲ ଅମଳ ପରେ ପରେ ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହେଇଥାଏ । ପର୍ବର ଗୋଟିଏ ଦିନ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ଲୋକମାନେ ଡାକିଲି ଗାଁ ମଧ୍ୟରେ ଦିନ ତମାମ ପାରମ୍ପରିକ ବାଦ୍ୟ ସହ ନାଚ ଗୀତରେ ଦେବୀଙ୍କୁ ପୂଜା ଆରାଧନା କରିଥାଆନ୍ତି । ସେହିପରି ଏହି ଉତ୍ସବ ନିମନ୍ତେ ଅଞ୍ଚଳରେ ଥିବା ନିଜ ନିଜର ସମ୍ପର୍କୀୟଙ୍କୁ ଡାକିଲି ଗ୍ରାମକୁ ନିମନ୍ତ୍ରଣ କରିଥାନ୍ତି । ପୁଣି ଡାକିଲି ଗାଁ ଚତୁଃପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ ସର୍ବସାଧାରଣରେ ସମ୍ପ୍ରଦାୟ ଲୋକେ ପିଠା ପଣା ସହ ନୂତନ ବସ୍ତ୍ର ପରିଧାନ କରିଥାନ୍ତି ।
ଦ୍ଵିତୀୟ ଦିବସରେ ମାଳିଚଗା (ବିରାଟ ପାହାଡ଼ ମଧ୍ୟରେ ଥିବା ଏକ ଗୁମ୍ଫା ) ପାଇଁ ପ୍ରସ୍ତୁତ ହେଇଥାନ୍ତି । ପ୍ରାୟ ୩୦-୪୦ ଗ୍ରାମର ବିଭିନ୍ନ ସମ୍ପ୍ରଦାୟର ଯୁବକ ଯୁବତୀ ନାଚ ଗୀତରେ ଗାଁ ଠାରୁ ମାଳିଚଗା ପର୍ଯ୍ୟନ୍ତ ମସଗୁଲ ରହିଥିାନ୍ତି । ବିଭିନ୍ନ ବର୍ଗର ଲୋକମାନେ ନିଜ ନିଜର ମାନସିକ ପୂରଣ ପାଇଁ କୁକୁଡ଼ା, ପାରା, ଛେଳି,ମେଣ୍ଢା ,ମଇଁଷି ଆଦି ପୀଠରେ ବୋଳି ଦେଇଥାନ୍ତି । ପିଢ଼ି ପିଢ଼ି ଧରି ଏଭଳି ପୂଜା କରାଯାଉଛି ଫଳରେ ମାଁ ସତ୍ୟବତୀ ପ୍ରସନ୍ନ ହେଇ ଅଞ୍ଚଳରେ ଉତ୍ତମ ଫସଲ ଅମଳ ସହ ଶାନ୍ତି, ମହାମାରୀ ପ୍ରକୋପରୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଥିବା ପ୍ରକାଶ କରିଛନ୍ତି ।
ରାୟଗଡରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ