ରାୟଗଡା: ଥମିବାରେ ନା ନେଉନି ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ହଇଜା ରୋଗୀଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଥିବାବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଦୁଇ ଦିନ ମଧ୍ୟରେ 100ରୁ ଉର୍ଦ୍ଧ୍ବ ରୋଗୀ କାଶୀପୁର ଗୋଷ୍ଠୀ କେନ୍ଦ୍ର, ଟିକିରି ପ୍ରାଥମିକ ଗୋଷ୍ଠୀ କେନ୍ଦ୍ର, ଡଙ୍ଗାସିଲ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆଦିତ୍ୟ ବିର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ବର୍ତ୍ତମାନ ସ୍ଥିତିରେ ଝାଡା ବାନ୍ତି ସଂକ୍ରମଣ କେବଳ କାଶୀପୁର ନୁହଁ ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଏବଂ କୋରାପୁଟ ପ୍ରତି ବିପଦ ସଙ୍କେତ ଦେଇଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (RMRC) ଟିମ ଲିଡର ଡା.ବିଭୁତି ଭୂଷଣ ପାଲ । ଇଟିଭି ଭାରତକୁ ସ୍ଵତନ୍ତ୍ର ସାକ୍ଷାତକାରରେ ଏପରି ମତ ରଖିଛନ୍ତି ସେ ।
ଡାକ୍ତର ପାଲଙ୍କ କହିବା କଥା ପୁର୍ବରୁ ମଧ୍ୟ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା । ବର୍ତ୍ତମାନ ପୁଣି ଠାରେ କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ସୃଷ୍ଟି କରିବ । ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର, ଲକ୍ଷ୍ମୀପୁର, ରାୟଗଡା ଜିଲ୍ଲାର କାଶୀପୁର, କଲ୍ୟାଣସିଂପୁର, କୋରାନରା, ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ଆଞ୍ଚଳ ପ୍ରତି ବିପଦ ଥିବା ଡାକ୍ତର ପାଲ୍ କହିଛନ୍ତି ।