ରାୟଗଡ଼ା: ପୁଣି ଓଡ଼ିଶା ଜମିରେ ଆନ୍ଧ୍ରର ଦାଦାଗିରି । ଜିଲ୍ଲା ରାମନାଗୁଡ଼ା ତହସିଲ ସୁଲୁଡ଼ି ମୌଜାର ଲାଉଗୁଡାଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆରମ୍ଭ ହୋଇଥିଲା ପୋଖରୀ ଖୋଳା । ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ ପରେ ବନ୍ଦ ହୋଇଛି ନିର୍ମାଣ କାର୍ଯ୍ୟ । ସୀମା ଚିହ୍ନଟ ନ ହେବା ପର୍ଯ୍ୟନ୍ତ ଉଭୟ ରାଜ୍ୟର ଅଧିକାରୀ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଗତ ମାସରେ ରାୟଗଡା ଜିଲ୍ଲାର ରାୟଗଡ଼ ତହସିଲ ଅନ୍ତର୍ଗତ ସୀମାନ୍ତରେ ଥିବା ଦୁର୍ଗାପାଡୁ ଗ୍ରାମ ପଞ୍ଚାୟତ ପଲମତୁଲ୍ସି ଗାଁ ଉପରେ ପଡୋଶୀ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଥିଲା । ଓଡ଼ିଶା ଜମିରେ ଆନ୍ଧ୍ର ରାସ୍ତା ନିର୍ମାଣ କରୁଥିବା ବେଳେ ତାକୁ ପ୍ରତିହତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ନେତୃତ୍ଵରେ ଜଙ୍ଗଲ, ପଞ୍ଚାୟତିରାଜ ଏବଂ ଗୃହ ବିଭାଗର ଏକ ଟିମ ଯାଇ ସୀମା ନିର୍ଦ୍ଧାରଣ କରିଥିବା ବେଳେ ଏବେ ପୁଣି ଥରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ତହସିଲ ସୁଲୁଡ଼ି ମୌଜାର ଲାଉଗୁଡାଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳା ଆରମ୍ଭ କରିଛି ।
ଏହା ବି ପଢନ୍ତୁ- ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟି କାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ
ଏନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ହେବାପରେ ରାମନାଗୁଡ଼ା ବିଡ଼ିଓ ଏବଂ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥଲେ ଲାଉଗୁଡା ଗ୍ରାମବାସୀ । ଏହି ଘଟଣାକୁ ନେଇ ସେଠାରେ ଏକ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇବା ପରେ ରାମନାଗୁଡ଼ା ବିଡ଼ିଓ ପ୍ରଭାତୀ ଝୋଡିଆ ଏବଂ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଘଟଣା ସ୍ଥଳକୁ ଯାଇ ଲୋକଙ୍କ ସହ କଥା ହେବା ସହ ଖୋଲା ଯାଇଥିବା ପୋଖରୀ ଜମିକୁ ଯାଇ ତଦାରଖ କରିଥିଲେ । ଏହି ପୋଖରୀଟି ଓଡ଼ିଶା ଜମିରେ ଆନ୍ଧ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚତ କର୍ମ ନିଯୁକ୍ତି ଯୋଜନାରେ କରାଯାଉଥିବା ବେଳେ ସେଠାରେ କୌଣସି ଆନ୍ଧ୍ର ସରକାରଙ୍କ ଫଳକ ଲାଗିନଥିବା ଜଣାପଡ଼ିଛି ।
ଘଟଣା ପରେ ଉଭୟ ଅଧିକାରୀ ପ୍ରଭାତି ଝୋଡ଼ିଆ ଏବଂ ନିର୍ମଳ ସାହୁ ଆନ୍ଧ୍ର ପ୍ରଦେଶର ଗୁମ୍ମା ଲକ୍ଷ୍ମୀପୁର ମଣ୍ଡଳମ ଗସ୍ତ କରି ସେଠାକାର ବ୍ଲକ ଏବଂ ତହସିଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ସୀମା ଚିହ୍ନଟ ନ ହେବା ପର୍ଯ୍ୟନ୍ତ କୌଣସି କାମ କରିବା ପାଇଁ ସହ ସମାଧାନର ରାସ୍ତା ବାହାରିବା ପର୍ଯ୍ୟନ୍ତ ଉଭୟ ରାଜ୍ୟର ଅଧିକାରୀ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପରେ ଏ ନେଇ ରାମନାଗୁଡ଼ା ବିଡ଼ିଓ ପ୍ରଭାତୀ ଝୋଡ଼ିଆ ଏବଂ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କୁ ଏ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ଅତି ଶୀଘ୍ର ଉଭୟ ରାଜ୍ୟର ରାଜସ୍ବ, ଜଙ୍ଗଲ, ପଞ୍ଚାୟତରାଜ ଏବଂ ଗୃହ ବିଭାଗର ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇ ଉଭୟ ରାଜ୍ୟର ସୀମା ନିରୂପଣ କରବ ବୋଲି ସୂଚନା ମିଳିଛି । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ରାୟଗଡ଼ା