ରାୟଗଡା: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ପଦ୍ମପୁର ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ନିମନ୍ତେ ବିଜେଡି ତରଫରୁ ନାମାଙ୍କନପତ୍ର ଦାଖଲ କରାଯାଇଛି । ବିଜେଡି ତରଫରୁ ପଦ୍ମପୁର ଜୋନ ଜିଲ୍ଲା ପରିଷଦ ସଭ୍ୟ ରୂପେ କରୁଣାକର ଶବର ଶତାଧିକ ବିଜେଡି ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ଗୁଣପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିଜୁକଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ, ଏହି ଜିଲ୍ଲାପରିଷଦ ଇଉପିଏ ନିର୍ବାଚନରେ ନିଶ୍ଚିତ ବିଜୟ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ସାଙ୍ଗକୁ ଜନ ହିତକର କାର୍ଯ୍ୟକ୍ରମ ଯୋଗୁଁ ଭୋଟରମାନେ ଏହି ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୪ ତାରିଖରେ ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ପୁରୁଷୋତ୍ତମ ଗମାଙ୍ଗଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡିଥିଲା । ତେଣୁ ପଦ୍ମପୁର "ଖ" ଜୋନରେ ଉପ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତକାଲି ଠାରୁ ନାମାଙ୍କନପତ୍ର ଦାଖଲ ସମୟ ନିର୍ଦ୍ଧାରିତ ହେବାପରେ, ଆଜି ବିଜେଡି ତରଫରୁ ନାମାଙ୍କନପତ୍ର ଦାଖଲ କରାଯାଇଥିଲା। ଆସନ୍ତା ଫେବୃଆରୀ ୨୪ ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ସମୟରେ ଗୁଣପୁର ସହର ବର୍ତ୍ତମାନ ଠାରୁ ହିଁ ରାଜନୈତିକ ସରଗରମ ହୋଇଉଠିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ