ରାୟଗଡା: ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ଚାରିଆଡେ ଦେଖାଗଲାଣି ରାଜନୈତିକ ଉଷ୍ଣତା । ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ମତାଦାନ ହେବାକୁ ଥିବାବେଳେ ରାୟଗଡା ଜିଲ୍ଲା ସଦର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଫେବୃୟାରୀ ୨୨ରେ ଭୋଟ୍ ପଡିବ । ୨୮ ଗୋଟି ଗ୍ରାମ ପଞ୍ଚାୟତ, ୨୮ଟି ସରପଞ୍ଚ, ୨୮ ଗୋଟି ସମିତି ସଭ୍ୟ, ୩୨୭ ୱାର୍ଡ ସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଏହି ତ୍ରିସ୍ତରୀୟ ନିର୍ବାଚନରେ ରାୟଗଡ଼ା ବ୍ଲକର ମୋଟ ୮୮, ୧୮୪ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ବୋଲି ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ସୂଚନା ଦେଇଛନ୍ତି ।
ସରପଞ୍ଚ ପଦବୀ ଅନୁସୂଚିତ ଜନଜାତି ବର୍ଗ ନିମନ୍ତେ ସଂରକ୍ଷଣ ହୋଇଥିବାବେଳେ କୋତାପେଟା, କାମ୍ପ ମାଲିଗାଁ, କୁଟୁଳି, କୁଲି, କେରେଡା, ଗୁମ୍ମା, ଜେମାଦେଇପେଣ୍ଠ, ତାଡାମା, ନାକିଟି, ପିପଲଗୁଡା, ବଡ ଆଲୁବାଡି, ବାଇଶିଙ୍ଗି, ମାଟିକଣା ଓ ହାଟ ଶେଷଖାଲ ଏଭଳି ୧୪ ଗୋଟି ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ । ଅବଶିଷ୍ଟ କାରୁବାଇ, କାର୍ଲାକଣା, କୁମୁଟିପେଣ୍ଠ, କୁମ୍ଭୀକୋଟା, ଗାଜିଗାଁ, ଚାନ୍ଦିଲି, ଡାଙ୍ଗଲୋଡି, ଦୁର୍ଗାପାଡୁ, ପିତାମହଲ, ପେଣ୍ଟା, ବଡ ଇରୁକୁବାଡି, ବୈରାଗୀ ହାଲୁଆ, ମୀରାବାଲି ଓ ହାଲୁଆ ଗ୍ରାମ ପଞ୍ଚାୟତ ନିମନ୍ତେ ଉଭୟ ପୁରୁଷ ଓ ମହିଳା ପ୍ରତିଦ୍ବନ୍ଦିତା କରିପାରିବେ । ଏଥିସହ ବ୍ଲକର ତିନିଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ "କ" ଜୋନଟି ଅନୁସୂଚିତ ଜନଜାତି ଏବଂ ଜିଲ୍ଲା ପରିଷଦ "ଖ" ଓ "ଗ" ଉଭୟ ଜୋନ ଅନୁସୂଚିତ ଜନଜାତି (ମହିଳା) ନିମନ୍ତେ ସଂରକ୍ଷିତ ପାଇଁ ଉଦ୍ଧିଷ୍ଟ ହେବ ।
ଜିଲ୍ଲା ପରିଷଦ ଜୋନ (କ)ରେ କୁଟୁଳି, ଗୁମ୍ମା, ତାଡାମା, ନାକିଟି, ମାଟିକଣା, କୁମ୍ଭୀକୋଟା, ଗାଜିଗାଁ, ପିତାମହଲ, ବଡ ଇରୁକୁବାଡି ଓ ହାଲୁଆ ଭଳି ୧୦ ଗୋଟି ଗ୍ରାମ ପଞ୍ଚାୟତର ମୋଟ ୨୮,୫୮୯ ଜଣ ଭୋଟର ଅଛନ୍ତି । ଜିଲ୍ଲା ପରିଷଦ ଜୋନ (ଖ) ରେ କାମ୍ପ ମାଲିଗାଁ, କୁଲି, କେରେଡା, ଜେମାଦେଇପେଣ୍ଠ, ପିପଲଗୁଡା, ବଡ ଆଲୁବାଡି, ବାଇଶିଙ୍ଗି, ହାଟ ଶେଷଖାଲ, କାରୁବାଇ, ଡାଙ୍ଗଲୋଡି, ଦୁର୍ଗାପାଡୁ, ବୈରାଗୀ ହାଲୁଆ ଓ ମୀରାବାଲି ଏଭଳି ୧୩ ଗୋଟି ଗ୍ରାମ ପଞ୍ଚାୟତର ମୋଟ ୨୯,୪୩୯ ଜଣ ଭୋଟର ଅଛନ୍ତି । ଜିଲ୍ଲା ପରିଷଦ ଜୋନ (ଗ)ରେ ପେଣ୍ଟା, କୁମୁଟିପେଣ୍ଠ, କାତାପେଟା , କାର୍ଲକଣା ଓ ଚାନ୍ଦିଲି ଏପରି ୫ ଗ୍ରାମ ପଞ୍ଚାୟତର ୩୦,୧୫୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ମତଦାନ ଦିନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସମସ୍ତ ଦଳ ଓ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।
ରାୟଗଡ଼ା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଲକ୍ଷ୍ମୀ ନାରାୟଣ ସାବତ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ଆଦର୍ଶ ଆଚରଣ ବିଦ୍ଧି ପାଳନ ସହ ବ୍ଳକ ପରିସର ଓ ପଞ୍ଚାୟତ ଅଞ୍ଚଳରୁ ସମସ୍ତ ରାଜନୈତିକ ପ୍ରଚାର ଓ ଯୋଜନା ସମ୍ପର୍କିତ ପୋଷ୍ଟର ଓ ବ୍ୟାନର ବାହାର କରିଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୧୩ରେ ସମସ୍ତ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ବିଧବଦ୍ଧ ଭାବେ ବିଜ୍ଞାପନ ପ୍ରକାଶ ପାଇଛି । ଜାନୁଆରୀ ୧୭ ତାରିଖ ଠାରୁ ୨୧ ତାରିଖ ମଧ୍ୟରେ ସରପଞ୍ଚ ଓ ୱାର୍ଡ ସଭ୍ୟ ନିମନ୍ତେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସମିତି ସଭ୍ୟ ନିମନ୍ତେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରାଯିବ ।
ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୫ ତାରିଖ ଦିନ ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକା ଚିହ୍ନ ସହ ପ୍ରକାଶ କରାଯିବ । ସମ୍ଭାବ୍ୟ କୋଭିଡ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଗତ ୧୫ ତାରିଖ ଦିନ ଅଧିକାରୀଙ୍କୁ ତାଲିମ ପ୍ରଦାନ ସମୟରେ କୋଭିଡ ମାର୍ଗଦର୍ଶିକା କଡାକଡି ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦେବା ସହ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ସମୟରେ କଟକଣାକୁ କଡାକଡି ପାଳନ କରିବା ନିମନ୍ତେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ