ରାୟଗଡ଼ା: କୁକୁଡ଼ା ଚାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରତିଷ୍ଠା ହେଲା ଚିଆଁ ଉତ୍ପାଦନ କେନ୍ଦ୍ର । ରାୟଗଡ଼ା ଓ ଗୁଣପୁରରେ ଲକ୍ଷାଧିକ ଟଙ୍କା ବ୍ୟୟରେ କାର୍ଯ୍ୟକ୍ଷମ ହେଲା ମେସିନ । ହେଲେ ପରିଚାଳନାଗତ ତ୍ରୁଟି କାରଣରୁ ଆରମ୍ଭରୁ ହିଁ ମେସିନ ଅଚଳ ହୋଇଗଲା । ଗତ ୫ ବର୍ଷ ହେଲା ମେସିନ ଅଚଳ ଅବସ୍ଥାରେ ପଡ଼ିଥିବାରୁ ରାୟଗଡ଼ା ଜିଲ୍ଲା ଚାଷୀଙ୍କୁ ଆବଶ୍ୟକ କୁକୁଡ଼ା ଚିଆଁ ସମେତ ଚିକେନ ଓ ଅଣ୍ଡା ଯୋଗାଉଛି ଆନ୍ଧ୍ର ।
୨୦୧୬ ମାର୍ଚ୍ଚ ୩୦ ତାରିଖରେ ସ୍ବର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ବରୋଜଗାର ଯୋଜନାରେ ପ୍ରତିଷ୍ଠା ହୋଇଥିଲା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର । ମାସିକ ୧୬ ହଜାର ଚିଆଁ ଉତ୍ପାଦନ କ୍ଷମତା ରଖିଥିବା ଦୁଇଟି ମେସିନ୍ ରାୟଗଡ଼ା ଓ ଗୁଣପୁରରେ କାର୍ଯ୍ୟକ୍ଷମ ହେବା ପରେ ପରିଚାଳନା ଦାୟିତ୍ବ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଆନ୍ଧ୍ର ଓ ବେସରକାରୀ ଫାର୍ମରୁ ଆସୁଥିବା ଚିଆଁ ଅପେକ୍ଷା ରାୟଗଡ଼ାରେ ମିଳୁଥିବା ଚିଆଁ ଦର କମ ଥିବାରୁ ଧୀରେଧୀରେ ଚାହିଦା ବଢ଼ିଥିଲା । ୩ଟି ପର୍ଯ୍ୟାୟରେ କୁକୁଡ଼ା ଚିଆଁ ବାହାରିବା ପରେ ମେସିନରେ ତ୍ରୁଟି ଯୋଗୁଁ ୨୦୧୬ ଜୁଲାଇ ମାସରେ ଉତ୍ପାଦନ ବନ୍ଦ ହୋଇ ଯାଇଥିଲା ।
ଯାନ୍ତ୍ରିକ ତ୍ରୁଟି ସଜାଡ଼ିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ନା ମିଳିଲା ଚିଠିର ଉତ୍ତର ନା କେହି ସଜାଡିବାକୁ ଆସିଲେ । ଫଳରେ ଚିଆଁ ଉତ୍ପାଦନ ଠପ ହୋଇ ପଡ଼ିଲା । ପିପିପି ମୋଡ଼ରେ ଉତ୍ପାଦନ କେନ୍ଦ୍ରକୁ ଚଲାଇବା ପାଇଁ କିଛି ବେସରକାରୀ ଫାର୍ମ ହାଉସ ଇଚ୍ଛା ପ୍ରକାଶ କରିବା ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ୨୦୨୦ ଜାନୁଆରୀ ୧୦ ତାରିଖରେ ଅବଗତ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: କେବେ ଆରମ୍ଭ ହେବ କଂସାରୀ ଗୁଡା ପ୍ରକଳ୍ପ କାମ ?
ଏହା ପରେ ଜୁଲାଇ ମାସରେ ପୁଣି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଆଉ ଏକ ଚିଠି ନିର୍ଦ୍ଦେଶକଙ୍କୁ ପଠାଇଥିଲେ ଯାହାର କୌଣସି ଉତ୍ତର ଏଯାବତ୍ ଆସିନାହିଁ । ଅଚଳ ମେସିନ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବାବେଳେ, ପିପିପି ମୋଡ଼ରେ ଚଲାଇବାକୁ ମଧ୍ୟ ପ୍ରଶାସନିକ ଅଧିକାରୀ ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିଥିବା ଲକ୍ଷାଧିକ ଟଙ୍କାର ମେସିନ୍ ଖତ ଖାଇବା ସହ ଉତ୍ପାଦନ କେନ୍ଦ୍ର ଭୂତକୋଠିରେ ପରିଣତ ହେଲାଣି ।
ଉତ୍ପାଦନ କେନ୍ଦ୍ର ଚଲାଇବା ପାଇଁ ୨ ଜଣ ଶ୍ରମିକ, ଜଣେ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍, ଜଣେ ଅଫିସରଙ୍କ ଆବଶ୍ୟକତା ରହିଛି । ହେଲେ ଇତି ମଧ୍ୟରେ ୬ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା କାହାକୁ ନିଯୁକ୍ତ ଦିଆଯାଇନି । ଅତିରିକ୍ତ ଦାୟିତ୍ବ ଭାବେ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଦାୟିତ୍ବ ହସ୍ତାନ୍ତର ଯୋଗୁଁ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଖିଥିବା ସ୍ବପ୍ନ ଅଧୁରା ରହିଛି । ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ବେସରକାରୀ ଫାର୍ମରେ କୁକୁଡ଼ା ଚାଷ ହେଉଛି । ୫ ଶହରୁ ଆରମ୍ଭ କରି ମାସିକ ୨୦ ହଜାର କୁକୁଡ଼ା ଉତ୍ପାଦନ ହେବା ଭଳି ବହୁ ଫାର୍ମ ହାଉସ ରହିଛି ।
୨୧ରୁ ୩୩ ଦିନ ମଧ୍ୟରେ ବ୍ୟବସାୟୀମାନେ କୁକୁଡ଼ା ନେଇଯିବା ପରେ ପୁଣି ଚିଆଁର ଆବଶ୍ୟକ ପଡୁଛି । ଯାହାକୁ ଫାର୍ମ ହାଉସ ମାଲିକ ଆନ୍ଧ୍ର କିମ୍ବା ବେସରକାରୀ ଫାର୍ମ ହାଉସରୁ ଆଣୁଛନ୍ତି । ସରକାରୀ ଦର ଭାବେ ପ୍ରତି ଚିଆଁ ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବେସରକାରୀ ଫାର୍ମ ହାଉସ ଓ ଆନ୍ଧ୍ରରୁ ଆସୁଥିବା ଚିଆଁ ୧୫ ରୁ ୨୦ ଟଙ୍କା ଅଧିକ ଦରରେ ଚାଷୀଙ୍କୁ କିଣିବାକୁ ପଡୁଛି । ଫଳରେ ଚିକେନ ଦର ମଧ୍ୟ ଅହେତୁକ ଭାବେ ବଢ଼ି ଚାଲିଛି ।
ରାୟଗଡ଼ା ବଜାରରେ ଚିକେନ ଦର କେଜି ପିଛା ୨୮୦ ଟଙ୍କା ଛୁଇଁଥିବା ବେଳେ ଅଣ୍ଡା ଗୋଟିଏ ୭ ରୁ ୮ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ବାଧାପ୍ରାପ୍ତ ପରେ ଚାହିଦା ଅନୁଯାୟୀ ଚିକେନ ମିଳୁନଥିବାରୁ ବ୍ୟବସାୟୀ ଦରଦାମ ବଢ଼ାଇ ଦେଇଛନ୍ତି । ଦୈନିକ ଆନ୍ଧ୍ରରୁ ୫୦ରୁ ଶହେ କ୍ବିଣ୍ଟାଲ ଚିକେନ ରାୟଗଡ଼ା ବଜାରକୁ ଆସୁଛି । ଯାହା ଫଳରେ ଆନ୍ଧ୍ର ବଜାର ଦର ଅନୁଯାୟୀ ରାୟଗଡ଼ାରେ ଚିକେନ ବିକ୍ରି ହେଉଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ରାୟଗଡ଼ା