ରାୟଗଡା: ଡିସେମ୍ବର 19ରୁ ଜିଲ୍ଲାରେ ଆରମ୍ଭ ହେବ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି । ବୁଧବାର ଆୟୋଜିତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ।
ଜିଲ୍ଲାପାଳ ସ୍ୱଧ୍ୟାଦେଵ ସିଂଙ୍କ ଅଧକ୍ଷତାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର 19ରୁ ପର୍ଯ୍ୟାୟକ୍ରମେ ଜିଲ୍ଲା ସ୍ଥରୀୟ ଧାନ ମଣ୍ଡି ଆରମ୍ଭ କରାଯିବା ନେଇ ସ୍ଥିର ହୋଇଥିବା ବେଳେ 14ଟି ଲେମ୍ପ ସମେତ 41ଟି ସ୍ଥାନରେ ଧାନ କିଣିବାକୁ ସ୍ଥିର ହୋଇଛି । ଚଳିତ ବର୍ଷ 17512 ଚାଷୀ ଧନ ବିକ୍ରି କରିବାକୁ ରେଜିଷ୍ଟ୍ରେସନ କରିଥିବା ବେଳେ 164491 ମେଟ୍ରିକ ଟନ ଧାନ କିଣିବାକୁ ସ୍ଥିର ହୋଇଛି । ଧାନ ବିକ୍ରୟ କରିବାର ତିନି ଦିନ ମଧ୍ୟରେ ପ୍ରାପ୍ୟ ଚାଷୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ । ଜିଲ୍ଲାର ସମସ୍ତ ଧାନ ସଂଗ୍ରହ ମଣ୍ଡିରେ ଯୋଗ୍ୟ ଚାଷୀମାନେ ତାଙ୍କର ଧାନ ବିକ୍ରୟ କରିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହେବା ପାଇଁ ଜିଲ୍ଲାପାଳ ଦେଵ ସିଂ ନିର୍ଦ୍ଦେଶ ଦେଇଥିଲେ ।
ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା ନିମନ୍ତେ ଅସ୍ଥାୟୀ ଟେଣ୍ଟ,ପିଇବା ପାଣି, ଜଗୁଆଳି ଓ ତେରପୋଲୀନ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବା ପାଇଁ ନିୟନ୍ତ୍ରିତ ବଜାର କମିଟି, ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଧାନ ବିକ୍ରୟ କ୍ଷେତ୍ରରେ କିଛି ଅସୁବିଧା ହେଲେ ଜିଲ୍ଲା କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷ ଫୋନ ନମ୍ବର ୯୪୩୮୨୦୦୦୫୭କୁ ଫୋନ ଯୋଗେ ଯୋଗା ଯୋଗ କରିପାରିବେ ।
ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲାପାଳ ବୈଠକରେ କହିଥିଲେ । ସରକାରଙ୍କ ଦ୍ଵାରା ଧାର୍ଯ୍ୟ ମୁତାବକ ଏଏଫକ୍ୟୁ ମାନର ଧାନ କ୍ଵିଣ୍ଟାଲ ପିଛା ୨୦୪୦ଟଙ୍କା ଓ ୨୦୬୦ ଟଙ୍କା ରହିଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଜିଲ୍ଲା ଉନ୍ନୟନ ଅଧିକାରୀ ରବିନାରାୟଣ ତ୍ରିପାଠୀ, ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରାମଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଲେମ୍ପ ଅଧିକାରୀ, ମିଲର ସହ ଚାଷୀ ଉପସ୍ଥିତ ଥିଲେ ।