ରାୟଗଡା: କାଶୀପୁରରେ କଲବଲ କରୁଛି ହଇଜା ଆତଙ୍କ । ସ୍ଥିତି ଅନୁଧ୍ୟାନ କଲା ରାଜ୍ୟ ବିଜେପିର ଏକ ଟିମ୍ । ଅନୁଧ୍ୟାନ ପରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ନେଇ ମତ ରଖିଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କାଶୀପୁର ବ୍ଲକରେ ହଇଜା ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି, ସରକାର ଓ ସରକାରୀ କଳର ଦାୟିତ୍ୱ ହୀନତା ଯୋଗୁଁ ଏହିଭଳି ରୋଗ ବ୍ୟାପିଥିବା ସେ ଅଭିଯୋଗ କରିଛନ୍ତି ।
'ବିକାଶର କଥା କହୁଥିବା ରାଜ୍ୟ ସରକାର କାଶୀପୁରବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣରେ ଫେଲ ମାରିଥିବା ବେଳେ ଏହାର ଫଳ ଭୋଗୁଛନ୍ତି ନୀରିହ ଜନତା । ସେହିଭଳି ଆବଶ୍ୟକ ଡାକ୍ତର ମଧ୍ୟ ଏଠି ନାହାନ୍ତି, ହଇଜା ବ୍ୟାପିବାର ୧୫ ଦିନ ପରେ ରାଜ୍ୟର ମନ୍ତ୍ରୀ କ୍ଷେତ୍ରକୁ ଆସୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟାକ୍ଷ କରିଥିଲେ । ଗତ ୨୦ ବର୍ଷ ହେବ ଲଗାତାର ଏହି ଅଞ୍ଚଳରେ ହଇଜା ବ୍ୟାପୁ ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା କରାଣରୁ ହଇଜା ବାରମ୍ବାର ବ୍ୟାପୁଥିବା କହିଛନ୍ତି’ ମୋହନ ମାଝୀ ।
ବିରୋଧି ଦଳ ମୁଖ୍ୟସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ନାଉରୀ ନାୟକ ଓ ବିଧାୟକ କେ.ନାରାୟଣ ରାଓ ସମେତ ଅନ୍ୟାନ୍ୟ କର୍ମୀ ଟିକିରି, ଦୁଡୁକାବାହାଲ, ପଞ୍ଚାଳି ଗ୍ରାମରେ ହଇଜାର ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ଭେଟିଥିଲେ ଏବଂ ସେଠାରେ ଲୋକେ ବ୍ୟବହାର କରୁଥିବା ଜଳଉତ୍ସ ବୁଲି ଦେଖିଥିଲେ । ଏଥିସହ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କୁ ଭେଟିବା ସହ ବର୍ତ୍ତମାନ ସ୍ଥିତି କଣ ରହିଛି ତାହା ମେଡିକାଲ ଅଫିସରଙ୍କୁ ପଚାରି ବୁଝିଥିଲେ ।
ବିଜେପି ଟିମ ଗସ୍ତ ସମୟରେ ଦଳର ଆଦିବାସୀ ମୋର୍ଚ୍ଚା ଜାତୀୟ ସମ୍ପାଦକ କାଳୀରାମ ମାଝୀ, ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନୀଳାଦ୍ରି ପାତ୍ର, ବରିଷ୍ଠ ନେତା ବସନ୍ତ ଉଲ୍ଲାକା, ବେଲଧର ମାଝୀ, ଯୁବନେତା ଉମେଶ ଖୋସଲା, ପ୍ରମୁଖ ଉପସ୍ଥିତ ଥିଲେ।