ରାୟଗଡା: ସମଗ୍ର ଦେଶ ଆଜି ପାଳନ କରୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ପଲ୍ଲୀରୁ ଦିଲ୍ଲୀ ସବୁଠି ଉଡ଼ିଛି ତ୍ରିରଙ୍ଗା । ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଜିର ଦୃଶ୍ୟ ଥିଲା ନିଆରା । ସ୍ୱାଧୀନତାର 75 ବର୍ଷରେ ଆମେ ପାଦ ଦେଇଥିବା ବେଳେ ଏବେ ବି ଏମିତି ଅନେକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଛି ଯେଉଁଠି ସ୍ୱାଧୀନତା ଦିବସ କ’ଣ ଲୋକେ ଜାଣିନାହାନ୍ତି ।

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଲୁଙ୍ଗୁରତାଲ ଅଞ୍ଚଳରେ ଆଜି ପ୍ରଥମ ଥର ସିପିଆଇ ଏମଏଲ ଲିବରେସନ, ଅଖିଳ ଭାରତୀୟ କୃଷକ ମହାସଭା ଓ ଆଦିବାସୀ ବିକାଶ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସିପିଆଇ ଏମଏଲ ଜିଲ୍ଲା ସଂପାଦକ ତିରୁପତି ଗମାଙ୍ଗ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


ଗଣତନ୍ତ୍ର, ସମ୍ବିଧାନ ସୁରକ୍ଷା ଓ ଦେଶପ୍ରେମୀ ହେବା ପାଇଁ ଉପସ୍ଥିତ ଆଦିବାସୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଥମ କରି 75 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରଥମ ଥର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁଙ୍ଗୁରତାଲରେ ପାଳନ ହେଲା ସ୍ଵାଧୀନତା ଦିବସ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ