ରାୟଗଡ଼ା: ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ପରେ ନିଦ ଭାଙ୍ଗିଛି ପ୍ରଶାସନର । ରାୟଗଡ଼ା-ଗଞ୍ଜାମ ସୀମା ସିଲ୍ କରି ଯାତାୟାତରେ ଲାଗିଲା ରୋକ୍ । ଗଞ୍ଜାମରୁ ଆସି କୋରୋନା ଆକ୍ରାନ୍ତରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ପରେ ନିଦ ଭାଙ୍ଗିଛି ଜିଲ୍ଲା ପ୍ରଶାସନର । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଜିଲ୍ଲାରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ନିୟନ୍ତ୍ରଣ ପାଇଁ ଉଭୟ ଜିଲ୍ଲାକୁ ଯାତାୟାତ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।
ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶରେ ଆଜି ଗଞ୍ଜାମ-ରାୟଗଡ଼ା ସୀମାକୁ ସିଲ୍ କରାଯିବା ସହ ଜିଲ୍ଲାର ପ୍ରବେଶ ପଥରେ ନାକା ଲଗାଇବା ସହ ଯାଞ୍ଚକୁ କଡାକଡ଼ି କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି । ଏପରିକି ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର, ଭୁବନେଶ୍ବର, କଟକରୁ ରାୟଗଡ଼ାକୁ ଚଳାଚଳ କରୁଥିବା ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ଗଞ୍ଜାମରୁ ପ୍ରତିଦିନ ଶହ ଶହ ଲୋକ ରାୟଗଡ଼ା ଜିଲ୍ଲାକୁ ଆସୁଥିବା ବେଳେ ଜୁନ୍ ୨୫ ତାରିଖରେ ଗଞ୍ଜାମରୁ ଆସିଥିବା ୮୦ ବର୍ଷିୟ ବୃଦ୍ଧଙ୍କ କରୋନାରେ ଜୁନ୍ ୩୦ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହେବାପରେ ଚିନ୍ତା ବଢିଛି ପ୍ରଶାସନର । ସେପଟେ ଗଞ୍ଜାମ ସ୍ଥିତି ଅଣାୟତ୍ତ ଯୋଗୁ ଆଜି ପୂର୍ବାହ୍ନରେ ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ସିଲ୍ କରିଥିଲେ ରାଜ୍ୟ ସରକାର ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ