ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବାପାର ଉନ୍ମତ କାଣ୍ଡ । ରାଗ ସୁଝାଇବାକୁ ଯାଇ ନାବାଳିକା ଝିଅର ଅପହରଣ ନାଟକ ରଚିଲା ବାପା । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଘଟଣାର ପର୍ଦ୍ଦାଫାସ ହେବା ପରେ ଜେଲ ଗଲା ବାପା । ସଦର ମହକୁମାର ଦୋରା କଣ୍ଡାଗରୀଙ୍କ ମା' ପୁଲମା କଣ୍ଡାଗରି ନାତୁଣୀ ନିଖୋଜ ହୋଇଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଦୋରା କଣ୍ଡାଗରୀ ଦୁଇଟି ବିବାହ କରିଛନ୍ତି । ତେବେ କୌଣସି କାରଣକୁ ନେଇ ପ୍ରଥମ ପତ୍ନୀଙ୍କ ଭାଇଙ୍କ ସହ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ଏହାପରେ ପ୍ରଥମ ପତ୍ନୀଙ୍କ ଝିଅ ତଥା ଝିଅକୁ ଅପହରଣ କରିବାକୁ ଯୋଜନା କରଥିଲା। ଏଥିରେ ସେ ସଫଳ ମଧ୍ୟ ହୋଇଥିଲା। ଏଥିରେ ଦୋରା କଣ୍ଡାଗରୀର ସହଯୋଗୀ ଗଜେନ୍ଦ୍ର ହୁଇକା ମଧ୍ୟ ସାମିଲ ରହିଥିଲା। ଏହି ଅପହରଣ ମାମଲାରେ ପ୍ରଥମ ପତ୍ନୀଙ୍କ ଦୁଇ ଭାଇ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଥିଲା ଦୋରା କଣ୍ଡାଗରୀ।
ପୋଲିସକୁ ବାରମ୍ବାର ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲା ଦୋରା। ତେବେ ପୋଲିସ ଘଟଣାର ତଦନ୍ତ କରି ଅସଲ ଅଭିଯୁକ୍ତକୁ ଖୋଜି ବାହାର କରିବାରେ ସକ୍ଷମ ହୋଇଛି। ପୋଲିସ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କଣବେସା ଗ୍ରାମରୁ ନାବାଳିକା ଝିଅକୁ ଉଦ୍ଧାର କରିଛି। ଏହାସହ ଦୁଇ ଅଭିଯୁକ୍ତ ଦୋରା କଣ୍ଡାଗରି ଓ ତାର ସହୋଯୋଗୀ ଗଜେନ୍ଦ୍ର ହୁଇକାକୁ ଗିରଫ କରି କୋର୍ଟ ଚାଲାଣ କରଛି । ଅଭଯୁକ୍ତଙ୍କ ନିକଟରୁ ଅପହରଣରେ ବ୍ୟବହୃତ ମଟର ସାଇକେଲକୁ ଜବତ କରାଯାଇଛି। ବର୍ତ୍ତମାନ ଉଦ୍ଧାର ହୋଇଥିବା ନାବାଳିକାକୁ ସ୍ଥାନୀୟ ଡାକ୍ତରଖାନାରେ ପରୀକ୍ଷା ପରେ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ରାୟଗଡ଼ା ଏସପି ଡ଼ ଶର୍ବଣ ବିବେକ ଏମ ସୂଚନା ଦେଇଛନ୍ତି।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ