ରାୟଗଡା: ହସ୍ତକଳା ଓ ହସ୍ତତନ୍ତରେ ସିଦ୍ଧ ହସ୍ତ ଓଡିଶାର କୋଣ-ଅନୁକୋଣରେ ରହୁଥିବା ବୁଣାକାର ଓ କାରିଗର । ଆଉ ଏମାନଙ୍କ ହାତର ନିଖୁଣ କାରିଗରି ବଖାଣେ କଳିଙ୍ଗର ଅନନ୍ୟ ସଂସ୍କୃତି । କାହାକୁ ଅଛପା ନାହିଁ ଆମ ହସ୍ତକଳାର ନିଖୁଣତା । ଆମ ରାଜ୍ୟର ଆଦିବାସୀ ଦୁର୍ଗମ ଅଞ୍ଚଳ ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରଦର୍ଶନ କରେ କଳା ନୈପୁଣତାର ନିଚ୍ଛକ ନିଦର୍ଶନ । ଏହି ଡଙ୍ଗରିଆଙ୍କୁ ପରିଚୟ ଦେଇଛି ତାଙ୍କ ହାତ ତିଆରି କପଡା ଗୁନ୍ଦା ବା ସାଲ୍ । ହେଲେ ବଦଳୁଥିବା ସମୟରେ ହଜିବାକୁ ବସିଛି କପଡାଗୁନ୍ଦା । ହାତ ଗଣତି ଅନୁଭୂତି କାରିଗରଙ୍କୁ ଛାଡ଼ି ଦେଲେ ନୂତନ ଯୁବପିଢ଼ିଙ୍କ ସ୍ପର୍ଦ୍ଧା ଦେଖିବାକୁ ମିଳୁନାହିଁ ।
ଏହି ଜନଜାତି ପୂର୍ବଘାଟ ପର୍ବତମାଳାର ନିୟମଗିରିରେ ବସବାସ କରନ୍ତି । ଏମାନେ ସମସ୍ତେ ଡଙ୍ଗର ପାହାଡରେ ରହୁଥିବାରୁ ଡଙ୍ଗରିଆ କୁହାଯାଉଥିବା ବେଳେ ସମସ୍ତେ କନ୍ଧ ସମ୍ପ୍ରଦାୟର । ବର୍ତ୍ତମାନ ଏମାନେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହୁଛନ୍ତି । ଯେତେ ପୁରୁଣା ଏହି ଜନଜାତି ସେତେ ପୁରୁଣା ତାଙ୍କ କଳା ସଂସ୍କୃତି । ଆଧୁନିକତାର ଚାକଚମକରେ ପୂର୍ବ ଭଳି ଆଉ ଘରେ ଘରେ ଡଙ୍ଗରିଆ ରମଣିଙ୍କ ପାରମ୍ପରିକ ହାତ ତିଆରି ପ୍ରେମର ପ୍ରତୀକ କପଡାଗୁନ୍ଦା ବା ଉତ୍ତରୀୟ ଆଉ ଦେଖିବାକୁ ମିଳୁନାହିଁ । ହେଲେ ପରମ୍ପରାଗତ କଳା, ସଂସ୍କୃତିକୁ ବଞ୍ଚେଇ ରଖିବା ନ୍ୟାୟରେ କାଁ ଭାଁ କେଉଁଠି ଜାରି ରହିଛି ହସ୍ତତନ୍ତ କଳା ।
ଡଙ୍ଗରିଆଙ୍କ ହାତ ତିଆରି କପଡାଗୁନ୍ଦା ସାଧାରଣ ବସ୍ତ୍ର ବା ସାଲ ନୁହେଁ, ଏହା ଡଙ୍ଗରିଆ ଯୁବକଯୁବତୀ ବା ଧଙ୍ଗଡା ଧାଙ୍ଗଡିଙ୍କ ପ୍ରେମର ପ୍ରତୀକ । ନିଜ ପ୍ରେମକୁ ପାଇବାକୁ ଏହି ସାଲର ଯାଦୁକରୀ କିଛି କମ ନୁହେଁ । ଥରେ ଯାହା ହାତରେ ପଡେ ସେ ତାର ହୋଇଯାଏ । ଆଗରୁ ଫୁରସତ ସମୟରେ ଅଭିଆଡିମାନେ ଏକାଠି ହୋଇ ନିଜ ପ୍ରେମିକଙ୍କ ପାଇଁ ଗୀତ ଗାଇ କପଡାଗୁନ୍ଦା ବୁଣିଥିଲେ । ହେଲେ ବଦଳୁଥିବା ସମୟରେ ହଜିବାକୁ ବସିଛି କପଡାଗୁନ୍ଦା । ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ କପଡାଗୁନ୍ଦାକୁ ତିଆରି କରିବାକୁ ମାସ ମାସ ସମୟ ଲାଗିଯାଏ । ବଜାରର ରଙ୍ଗବେରଙ୍ଗ ଜିନିଷ ଆଗରେ ଫିକା ପଡିଛି ପାରମ୍ପରିକ ସାଲ ବା କପଡାଗୁନ୍ଦାର ଚାହିଦା । ଆଉ ପ୍ରୋତ୍ସାହନ ଓ ବଜାର ଅଭାବରୁ ଏହି କୌଳିକ ବୃତ୍ତି ବୁଡିବାକୁ ବସିଛି ।
ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହୁଏ କପଡାଗୁନ୍ଦା । ଯେଉଁଥିରେ ସ୍ଥାୟୀତ୍ବ ରଙ୍ଗ ପାଇଁ କଦଳୀ, କେତକୀ ରସ ବିଭିନ୍ନ ପ୍ରକାରର କଷ ବ୍ୟବହାର କରାଯାଏ । ବାଡିହଳଦୀ, ଦୀପ କଳା, ଝାମ୍ପରା ମଞ୍ଜି, ଟାଙ୍ଗି ଫୁଲ ଓ ବିଭିନ୍ନ ପତ୍ରର ରସକୁ ରଙ୍ଗ ଚଢାଯାଏ । ଏମାନେ ରଙ୍ଗ ପାଇଁ କେବଳ ସବୁଜ, ଲାଲ, ହଳଦିଆ ଓ ମାଟିଆ ରଙ୍ଗରେ ସୂତାଗୁଡିକୁ ସଜେଇଥାନ୍ତି । ପୂର୍ବରୁ କୌଣସି ସାଲ ତିଆରି ପାଇଁ ପାଖ ହାଟ ବଜାରରୁ ସହଜରେ ଉପଲବ୍ଧ ହେଉଥିଲା ସୂତା । ହେଲେ କାଳକ୍ରମେ ଏହା ଲୋପ ପାଇବା ଯୋଗୁଁ କୋଟପାଟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ଡଙ୍ଗରିଆଙ୍କ ହାତ ତିଆରି ଲୁଗା ଏବେ କେବଳ ଝିଗିଡି ଗାଁରେ ମିଳୁଛି । ତେଣୁ ଡଙ୍ଗରିଆଙ୍କୁ ଆଦିମ ଜନଜାତିର ପରିଚୟ ଦେଉଥିବା ଏହି ସାଲ ଦିନକୁ ଦିନକୁ ଲୁପ୍ତ ହେବାରେ ଲାଗିଛି । ବାହାର ବଜାରରେ ଚାହିଦା ରହୁଥିବା ଏହି ଜନଜାତିଙ୍କ ହାତ ତିଆରି ଲୁଗା ନିଜର ପରିଚୟ ହଜାଇବାକୁ ବସିଛି । ନିଜ କଳାର ପରିଚୟ କପଡାଗୁନ୍ଦାର ଅସ୍ତିତ୍ବକୁ ବଜାୟ ରଖିବାକୁ ଏମାନେ କୋଟପାଡ଼ ବସ୍ତ୍ର ପରି କପଡାଗୁନ୍ଦାକୁ ମଧ୍ୟ ଜିଆଇ ଟ୍ୟାଗ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ତେବେ ଏହି ବସ୍ତ୍ରର ପୁନରୁଦ୍ଧାର କରିବାକୁ ହେଲେ ପ୍ରୋତ୍ସାହନ ସହିତ ଉଚିତ ବଜ଼ାରର ମଧ୍ୟ ଆବଶ୍ୟକତା ରହଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ