ରାୟଗଡ଼ା: ଓଡିଶାର ଆଦିବାସୀ ଲୋକକଳା ଏବଂ ହସ୍ତଶିଳ୍ପର ସ୍ବତନ୍ତ୍ର ପରିଚୟ ରହିଛି । ଓଡ଼ିଶାର ଅନନ୍ୟ ସଂସ୍କୃତିର କଥା କହେ ଏମାନଙ୍କ ନିଖୁଣ କାରିଗରି। ରାଜ୍ୟର ଆଦିବାସୀ ଦୁର୍ଗମ ଅଞ୍ଚଳ ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରଦର୍ଶନ କରେ କଳା ନୈପୁଣତାର ନିଚ୍ଛକ ନିଦର୍ଶନ । ଏହି ଡଙ୍ଗରିଆଙ୍କୁ ପରିଚୟ ଦେଇଛି ତାଙ୍କ ହାତ ତିଆରି ବାନ୍ଧକଳା କପଡାଗୁନ୍ଦା ବା ସାଲ । ହେଲେ ସମୟ ବଦଳିବା ସହ ବାନ୍ଧକଳା କପଡାଗୁନ୍ଦା ଏବେ ବିଲୁପ୍ତ ହେବାକୁ ବସିଛି। ହେଲେ ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଡଙ୍ଗରିଆ ଆଦିବାସୀଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଆଗେଇ ଆସିଛି ଡିକେଡିଏ ଓ ଆକ୍ସନ ଏଡ ଅନୁଷ୍ଠାନ।
ପରିବର୍ତ୍ତନର ସମୟ ଚକ୍ରରେ ବାଦ ପଡ଼ିନାହିଁ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କଳା ସସ୍କୃତି । ହଜିବାକୁ ବସିଛି କପଡାଗୁନ୍ଦା ବାନ୍ଧକଳା । ନିୟମଗିରି ଡଙ୍ଗରିଆଙ୍କ ହାତ ତିଆରି ଶାଲ ବା କପଡାଗୁନ୍ଦା । ସମୟାନୁକ୍ରମେ ଲୁପ୍ତ ହେବାରେ ବସିଲାଣି ସେମାନଙ୍କ ନିତିଦିନିଆ ବ୍ୟବହାର୍ଯ୍ୟ ବାନ୍ଧକଳା । ଯେଉଁ କଳା ପାଇଁ ଦିନେ ସାତ ଦରିଆ ପାରିରୁ ଭିଡ଼ ଜମୁଥିଲା । ଆଜି ସେହି ଭିଡ଼ ଆଉ ଦେଖିବାକୁ ମିଳୁନି । ବଜାରର ରଙ୍ଗବେରଙ୍ଗ ସାଲ ଆଗରେ ଫିକା ପଡ଼ିଛି କପଡାଗୁନ୍ଦା । ହାତ ଗଣତି ଅନୁଭୂତି କାରିଗରଙ୍କୁ ଛାଡ଼ିଦେଲେ ଯୁବପିଢ଼ି ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି ।
ଡଙ୍ଗରିଆ ସମ୍ପ୍ରଦାୟରେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବ ପର୍ବାଣି ସବୁଥିରେ ଲୋଡାପଡେ ଡଙ୍ଗରିଆ ରମଣୀଙ୍କ ହାତ ତିଆରି କପଡାଗୁନ୍ଦା ବା ସାଲ । ଏହି ସାଲ ବା କପଡାଗୁନ୍ଦାକୁ ଏକ ଧଳା ରଙ୍ଗର ସଲ ଉପରେ ବିଭିନ୍ନ ପ୍ରକୃତିକ ରଙ୍ଗରରେ ରଙ୍ଗାୟତ ସୁତା ସାହାଯ୍ୟରେ ନିଜ ହାତରେ ବିଭିନ୍ନ ପାରମ୍ପରିର ଚିତ୍ରରେ ତିଆରି କରିଥାନ୍ତି ଆଦିମ ଜନଜାତି ସମ୍ପ୍ରଦାୟ । କିନ୍ତୁ ଏହି ଧଳା କପଡାକୁ କେବଳ ବିଷମକଟକ ବ୍ଲକ ଝିଗିଡି ଗ୍ରାମର କିଛି ବୃଦ୍ଧ ତିଆରି କରିଥାନ୍ତି । ବୟସ ବୃଦ୍ଧି ଯୋଗୁଁ ଧଳା କପଡା ଅଭାବ ଫଳରେ ଡଙ୍ଗରିଆଙ୍କ କପଡାଗୁନ୍ଦା ବା ସାଲର ଉତ୍ପାଦନ ଧିରେ ଧିରେ ଲୋପ ପାଇବାକୁ ବସିଛି । ନିୟମଗିଗିର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ ବା କପଡାଗୁନ୍ଦା ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ ।
ଏହା ମଧ୍ୟ ପଢ଼ନ୍ତୁ: ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା
ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ସାଲର ବେଶ ଚାହିଦା ରହିଛି । ଡଙ୍ଗରିଆଙ୍କ ପାରମ୍ପାରିକ ବାନ୍ଧକଳାକୁ ବଞ୍ଚାଇବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଇ ସ୍ବାବଲମ୍ବୀ କରାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଡିକେଡିଏ ଏବଂ ଆକ୍ସନଏଡ ପକ୍ଷରୁ ଯୁବକ ଯୁବତୀଙ୍କୁ ପ୍ରଥମ ଥର ପାଇଁ ଲୁଗାବୁଣା ତାଲିମ ଦିଆଯାଇଛି । 40 ଦିନିଆ କର୍ଯ୍ୟକ୍ରମରେ କାରିଗର ରାମ ହିଆଲ ତାଲିମ ପ୍ରଦାନ କରୁଛନ୍ତି । ଏଥିରେ ତନ୍ତ ଚଳାଇବା, ଅରଟ ଚଳାଇବା, ଛୁଞ୍ଚିରେ ସିଲେଇ ଓ ସୁତାରେ ଲୁଗା ବୁଣିବା ଭଳି ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି । କୌଳିକ ବୃତ୍ତିକୁ ଆପଣାଇବାକୁ ଡଙ୍ଗରିଆ ଯୁବପିଢ଼ି ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।
ଏନେଇ ସେମାନେ କହିଛନ୍ତି, " କପଡାଗୁନ୍ଦା ତିଆରି କରିବାକୁ ହେଲେ ଧଳା ରଙ୍ଗର କପଡା ଆବଶ୍ୟକ ପଡେ । ବର୍ତ୍ତମାନ ତାହା ଉପଲବ୍ଧ ହେଉନଥିବା ବେଳେ ନିଜେ ତିଆରି କରୁଛୁ । ଆମ କଳା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏହି ତାଲିମ ନେଉଛୁ । ଏହାଦ୍ବାରା ଦୁଇ ପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବୁ ।" ଡଙ୍ଗରିଆମାନଙ୍କୁ କପଡାଗୁନ୍ଦା ତିଆରି କରିବାରେ ଉତ୍ସାହିତ କରିବା ସହ ଧଳା କପଡା, ବିଭିନ୍ନ ରଙ୍ଗର ସୁତା ଯୋଗାଇବା ଏବଂ ଏହାକୁ ବିକ୍ରି କରିବାରେ ବିଷମକଟକ ବ୍ଲକର ଚାଟିକଣା ସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ବେଶ ଭୂମିକା ରହିଛି ।
କରୋନା ମହାମାରି ସମୟରେ ମଧ୍ୟ ଏହି ମହିଳାମାନେ ବିଭିନ୍ନ ଡିଜାଇନର ମାସ୍କ ତିଆରି କରିବା ସହ ବିକ୍ରି କରି ଦୁଇ ପଇସା ରୋଜଗାର କରିଥିଲେ । ତେଣୁ ନିଜ କଳାକୃତିର ପରମ୍ପରାକୁ ଲୋକଙ୍କ ପାଖରେ ପହଞ୍ଚାଇ ଆଦିବାସୀଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହେଉଛି ଏହି ସଂସ୍ଥା । ପ୍ରୋତ୍ସାହନ ଓ ବଜାର ଅଭାବରୁ ବୁଡିବାକୁ ବସୁଥିବା କପଡାଗୁନ୍ଦା ସାଲର ପୁନରୁଦ୍ଧାର ପାଇଁ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ନିହାତି ସ୍ବାଗତଯୋଗ୍ୟ ।
ଇଟିଭି ଭାର, ରାୟଗଡ଼ା