ରାୟଗଡ଼ା: ଜିଲ୍ଲାରେ ସାନି ମତଦାନ ପ୍ରକ୍ରିୟାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ । ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥ୍ ଜବରଦଖଲ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ୧୬ ତାରିଖରେ ନିର୍ବାଚନ ହୋଇଥିଲା ଓ ୧୯ ତାରିଖରେ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ।
ଭିଡିଓ ଲୋକଲୋଚନକୁ ଆସିବା ପରେ ସାନି ମତଦାନ ପାଇଁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଦାବି ହୋଇଥିଲା । ଏହି ଦାବିକୁ ନେଇ ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡବାଲି ବୁଥରେ ଆସନ୍ତା ୨୩ ତାରିଖରେ ସାନି ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଏହାକୁ ନେଇ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାନି ମତଦାନକୁ ଶତାଧିକ ଡ଼ଙ୍ଗରିଆ ବିରୋଧ କରି ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।
କୌଣସି ପରିସ୍ଥିତିରେ ମଧ୍ୟ ନିର୍ବାଚନ ସାନି ମତଦାନ କରିବା ପାଇଁ ଦିଆଯିବ ନାହିଁ ବୋଲି ଡଙ୍ଗରିଆ କନ୍ଧମାନେ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରିଜାଇଡିଂ ଅଫିସର ଓ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାର କରି ସାନି ମତଦାନ ନୋଟିସ ପ୍ରତ୍ୟାହାର କରିବା ପାଇଁ ଏଥିରେ ଦାବି କରାଯାଇଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ