ରାୟଗଡା: ଦୁର୍ଗମ ଆଦିମ ଜନଜାତି ଅଞ୍ଚଳର ସ୍ଥିତି ପରିଖିଲେ ଯୁବ ଆଇଏଏସ ଅଧିକାରୀ। ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ସୋନାଲ ଜେନା । ରାଜ୍ୟ ସରକାର ତାଙ୍କୁ ଗୁଣୁପୁର ଉପଖଣ୍ଡର ଉପ ଜିଲ୍ଲାପାଳ ଭାବେ ଦାୟିତ୍ବ ଦେଇଛନ୍ତି ।
ନିଜ କାର୍ଯ୍ୟରେ ଯୋଗଦାନ କରିବା ପରେ ପ୍ରଥମ ଥର ପାଇଁ ଆଦିମ ଜନଜାତି ବସବାସ କରୁଥିବା ଗୁଣପୁର ବ୍ଲକର ଦୁର୍ଗମ ପୁଟାସିଂ ଅଞ୍ଚଳ ପରିଦର୍ଶନ କରି ତୃଣାମୂଳ ସ୍ତରର ସ୍ଥିତି ପରଖିଥିଲେ । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ଅଧୀନରେ କରାଯାଉଥିବା ପାହାଡିଆ ଚାଷ କାର୍ଯ୍ୟ, କୁକୁଡ଼ା ପାଳନ, ଜୀବନ ଜୀବିକା, ଖାଉଟି ସେବା,ଉନ୍ନୟନ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ ।
ଏହାସହ କିଛି ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପରିଦର୍ଶନ କରି ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପୃଷ୍ଟିକର ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ଵ ଦେବା ସହ ପାହାଡିଆ ଜମିରେ ଜଳସେଚନ ସୁବିଧା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ସୋନାଲ ମୁନିଗୁଡା, ବିସମକଟକ ଅଞ୍ଚଳକୁ ପରିଦର୍ଶନ କରି ଡଙ୍ଗରିଆ କନ୍ଧଙ୍କ ବିକାଶକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।
ରାୟଗ଼ଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ