ରାୟଗଡା: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଶନିବାର ରାତିରେ ରାୟଗଡା ଥାନା ଏବଂ ଚାନ୍ଦିଲି ପୋଲିସ ୫ଟି ଜାଗାରେ ଚଢାଉ କରି ବିପୁଳ ପରିମାଣରେ ତମାଖୁ, ଗୁଟଖା ଓ ଭାଙ୍ଗ ଜବତ କରିଛି । ଏଥିସହ ମାମଲାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଜବତ ବେଆଇନ ନିଶାଦ୍ରବ୍ୟର ମୂଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ରାୟଗଡା ପୋଲିସ ଖବର ପାଇ ଚାନ୍ଦିଲି ଥାନା ପୋଲିସ ସହାୟତାରେ ସ୍ଥାନୀୟ ସାଇପ୍ରିୟା ନଗରରୁ ୩ଟି ଓ ଚାନ୍ଦିଲି ଥାନା ଅନ୍ତର୍ଗତ ୨ଟି ଗୋଦାମରେ ଚଢାଉ କରିଥିଲା । ଏହି ଚଢାଉରେ 330 ବସ୍ତା ବେଆଇନ ଗୁଟୁଖା ଜବତ କରାଯାଇଛି । ୧୪୦ ବସ୍ତା ତମାଖୁ, ୩୦ ବସ୍ତା ମାରୁତି ଭାଙ୍ଗ ଓ ୪୦ ବସ୍ତା ଗୁଟଖା ଜବତ ହୋଇଛି ।
ଜବତ ଗୁଟଖାର ମୂଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି ରାୟଗଡା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହ ବେଆଇନ ଗୁଟଖା କାରବାରର କିଙ୍ଗ ପିନ୍ ଆଇ ରବିକୁମାରକୁ ଗିରଫ କରିଛି ପୋଲିସ । ତେବେ ଏହି ଗୁଟକା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଖୋଳତାଢ ଆରମ୍ଭ କରିଛି ଟାଉନ୍ ଥାନା ପୋଲିସ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ