ପୁରୀ: ପାରିବାରିକ କଳହରୁ ନୃଶଂସ କାଣ୍ଡ । ଦିଅରକୁ ହତ୍ୟା କଲା ଭାଉଜ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ଦିଅରକୁ ଗୋଡେଇ ଗୋଡେଇ କଟୁରୀରେ ହାଣିଛି । ମୃତକ ହେଉଛନ୍ତି ବିଚିତ୍ର ପ୍ରଧାନ ।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଚିତ୍ର ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଝଗଡା କରିଥିଲେ ଏବଂ ନିଜ ଭାଉଜ ସଖୀ ପ୍ରଧାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଫଳସୂରୁପ, ଦୀର୍ଘ ଦିନର ଅସନ୍ତୋଷ ରାଗରେ ମହିଳାଟି ଅନ୍ଧ ହୋଇଯାଇଥିଲେ । ଏକ କଟୁରୀ ଯୋଗେ ସେ ନିଜ ଦିଅର ବିଚିତ୍ରର ମୁଣ୍ଡ ଓ ଗୋଡକୁ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେ ଆଖିବୁଜି ଥିଲେ ।
ଖବର ପାଇ କାକଟପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଫରେନସିକ ଏକ୍ସପର୍ଟ ଓ ଟିମ୍ ମଧ୍ୟ ପହଞ୍ଚି ଛାନଭିନ କରିଛି । ଘଟଣାରେ ଅଭିଯୁକ୍ତ ଭାଉଜକୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ