ପୁରୀ: ଜମି ହାତେଇବା ପାଇଁ ଚଞ୍ଚକତା । ବଞ୍ଚିଥିବା ଲୋକକୁ ମାରି ଦିଆଯାଇଛି । ଆଉ ମରିଯାଇଥିବା ଲୋକକୁ ଜୀବିତ ଦର୍ଶାଯାଇଛି । ଏଭଳି ଅଭିଯୋଗ ଆସିଛି ପୁରୀ ସଦର ବ୍ଲକ ବିରହରେକୃଷ୍ଣପୁର ଅଞ୍ଚଳରେ । ଯାହାକି ପ୍ରଶାସନିକ ସ୍ତରରେ କିଭଳି ଦୁର୍ନୀତି ଚାଲିଛି ତାହା ପଦାକୁ ଆସିଛି। ଏହି ଅଭିଯୋଗ ଜଣେ ସୂଚନା ଅଧିକାର କର୍ମୀ ବଟ କୃଷ୍ଣ ପ୍ରଧାନ ଆଣିଛନ୍ତି । ତେବେ ଦୁର୍ଭାଗ୍ୟର ବିଷୟ ଯେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।
ଅଭିଯୋଗ ଅନୁସାରେ ବଟ କୃଷ୍ଣ ପ୍ରଧାନଙ୍କ ପରିବାର ମ୍ୟୁଟେସନ କେସ ପାଇଁ ଆବେଦନ କରିଥିଲେ । ତତ୍କାଳୀନ ରାଜସ୍ବ ନିରୀକ୍ଷକ ଭୀମ ଚରଣ ପୂର୍ତ୍ତି ଏହାର ତଦନ୍ତ କରି ମ୍ୟୁଟେସନ କେସ ନମ୍ବର 2641/13 ରେ ହାରା ମଣି ପ୍ରଧାନଙ୍କୁ ଜୀବିତ ବୋଲି ଦର୍ଶାଇଛନ୍ତି । କିନ୍ତୁ ହାରା ମଣି ଏହାର ବର୍ଷକ ପୂର୍ବରୁ 2012 ନଭେମ୍ବର28ରେ ମରି ଯାଇଥିଲେ ।
କେବଳ ସେତିକି ନୁହେଁ ସେହି ସମାନ କେସ ରେ ସାଧୁ ପ୍ରଧାନଙ୍କ ପତ୍ନୀ ମାଳତୀ ପ୍ରଧାନଙ୍କୁ ମୃତ ବୋଲି ରିପୋର୍ଟ ଦେଇ ଛନ୍ତି। ଯେତେବେଳେ କି ମାଳତୀ ପ୍ରଧାନ ଜୀବିତ ଅଛନ୍ତି । କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳରେ 80 ରୁ ଅଧିକ ମ୍ୟୁଟେସନ କେସ୍ ରେ ବ୍ୟାପକ ଚଞ୍ଚକତା କରି ଉକ୍ତ ରାଜସ୍ବ ନିରୀକ୍ଷକ ଦୁର୍ନୀତି କରିଛନ୍ତି । ତେବେ ବାରମ୍ବାର ଜିଲ୍ଲା ପ୍ରଶାସନର ଏ ବିଷୟରେ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କେହି ଧ୍ୟାନ ଦେଉ ନ ଥିବା ଵଟ କୃଷ୍ଣ ଅଭିଯୋଗ କରିଛନ୍ତି । ସେ ଏନେଇ କୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।
ପୁରୀ ରୁ ଶକ୍ତି ପ୍ରାସଦ ମିଶ୍ର , ଇଟିଭି ଭାରତ