ପୁରୀ: ପୁରୀ ପୋଲିସର ଅପାରଗତା ଯୋଗୁଁ 18ଟି ପରିବାର ଏବେ ସାମାଜିକ ବାସନ୍ଦ । ଏହି ପରିବାର ଏବେ ଅତି ଦୁର୍ବିସହ ଜୀବନଯାପନ କରୁଛନ୍ତି । ସବୁଆଡୁ ନ୍ୟାୟ ଆଶା କରି ନିରାଶ ହେବା ପରେ 18ଟି ପରିବାର ସମୂହ ଅତ୍ମହତ୍ୟା କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ପୁରୀ ସଦର ଥାନା ଶିରୁଳି ଗ୍ରାମର 18ଟି ପରିବାର । ଦୀର୍ଘ 6 ମାସ ହେବ ବାସନ୍ଦ ହୋଇ 18ଟି ପରିବାରର ଶତାଧିକ ଲୋକ ଅତି ଦୟନୀୟ ଭାବେ ଜୀବନଯାପନ କରୁଥିବା ସାଂଘାତିକ ଅଭିଯୋଗ ଆସିଛି । ଶିରୁଳି ଗ୍ରାମର ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରର 18ଟି ସେବକ ପରିବାର ବାସନ୍ଦ ହୋଇ ଦୀର୍ଘ 6 ମାସ ହେଲା ଦିନ କାଟୁଛନ୍ତି ।
ବାସନ୍ଦ ହୋଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଠାକୁରଙ୍କ ବଡୁ ସେବକମାନେ ଏକାଠି ହୋଇ ସିଂହାରୀ ପୁଷ୍ପାଳକ ସେବକଙ୍କୁ ବାସନ୍ଦ କରିଛନ୍ତି । ବଡ଼ୁ ସେବକମାନେ ଠାକୁରଙ୍କୁ ଦିଆଯାଉଥିବା ଦକ୍ଷିଣାର ଅଧା ଦେବା ସହ 5 ଲକ୍ଷ ଟଙ୍କା ଦାବି କରୁଛନ୍ତି । ଏହାକୁ ଦେବାକୁ ସିଂହାରୀ ପୁଷ୍ପାଳକ ସେବକମାନେ ମନା କରିବାରୁ ଗ୍ରାମରେ ଅଧିକ ସଂଖ୍ୟା ଥିବା ବଡ଼ୁ ସେବକମାନେ ଏକାଠି ହୋଇ ସିଂହାରୀ ପୁଷ୍ପାଳକ ସେବକଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି । ଏଥିସହ ଠାକୁରଙ୍କ ସେବା ପାଇଁ ମଧ୍ୟ ମନ୍ଦିରକୁ ପ୍ରବେଶ କରାଇ ଦେଉନାହାନ୍ତି । ଫଳରେ ସେବା ପୂଜା ନକରି ପାରି ରୋଜଗାର ନଥିବାରୁ ଘର ପରିବାର ଚଳାଇ ପାରୁ ନାହାନ୍ତି ପୁଷ୍ପାଳକ ସେବକ ପରିବାର ।
ଅନ୍ୟପଟେ ସାମାଜିକ ବାସନ୍ଦ ପଛରେ ଶାସକ ଦଳର ଜଣେ ବିଧାୟକ ସମର୍ଥନ ରହିଥିବା ମଧ୍ୟ ଅଭିଯୋଗ କରାଯାଇଛି । ସାମାଜିକ ବାସନ୍ଦ, ସେବା ପୂଜାରୁ ବଞ୍ଚିତ କରାଯାଇଥିବା ଘଟଣା ନେଇ ଦେବୋତ୍ତର କମିଶନଙ୍କ ନିକଟରେ ଅଭିଯୋଗ ପରେ ପୁରୀ ସଦର ଥାନା ପୋଲିସ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ ଦେବୋତ୍ତର କମିଶନ ପୋଲିସକୁ ଚିଠି କରିଥିଲେ । ହେଲେ ପୋଲିସ୍ ଶାସକ ଦଳର ଚାପର ବଶବର୍ତ୍ତୀ ହୋଇ କୌଣସି ପଦକ୍ଷେପ ନେଉ ନଥିବା ସାଂଘାତିକ ଅଭିଯୋଗ କରିଛନ୍ତି ପୁଷ୍ପାଳକ ସେବକ । ତେବେ ଏନେଇ ଶେଷରେ ସବୁଆଡେ ନିରାଶ ହୋଇ ପୁଷ୍ପାଳକ ସେବକ ମାନେ ପୁରୀ ଜିଲ୍ଲାପାଳଙ୍କଠାରୁ ନ୍ୟାୟ ଗୁହାରି କରିଛନ୍ତି । ଯଦି ନ୍ୟାୟ ନମିଳେ ତେବେ ସେବକମାନେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ପୁରୀ