ପୁରୀ: ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଘଟିଛି ଅଭାବନୀୟ ଘଟଣା । ଶ୍ବେତଗଙ୍ଗା ପୁଷ୍କରିଣୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୃଦ୍ଧାଙ୍କ ପରିଚୟ ମିଳି ନଥିବା ବେଳେ ସେ ହବିଷ୍ୟାଳି ହୋଇଥାଇପାରନ୍ତି ବୋଲି ଆଶଙ୍କା କରୁଛି ପୋଲିସ ।
ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ମେଡିକାଲକୁ ନିଆଯାଇଛି ।
ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପୁରୀରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ ହବିଷ୍ୟାଳିଙ୍କ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ