ନିମାପଡା : ଧାରଣାରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ । କାମବନ୍ଦ କରି ଅର୍କକ୍ଷେତ୍ର ବାଖ୍ୟାନ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି। ଦରମା ଦେବାରେ ଅନିୟମିତତା ଅଭିଯୋଗ କରି କାମ ବନ୍ଦ ପ୍ରତିବାଦ କରିଛନ୍ତି ସୁରକ୍ଷା କର୍ମଚାରୀ । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ । ସୂର୍ଯ୍ୟ ମନ୍ଦିରର ଐତିହ୍ୟ ବହନ କରୁଥିବା ଏହି ବାଖ୍ୟାନ କେନ୍ଦ୍ରକୁ ହଜାର ହଜାର ପର୍ଯ୍ୟଟକ ଦେଖି ନପାରି ନିରାଶ ହୋଇ ଫେରିଛନ୍ତି ।
ସୂଚନା ମୁତାବକ, ବିଶ୍ବ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ସୂର୍ଯ୍ୟମନ୍ଦିର ସମ୍ମୁଖରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମାଣ ହୋଇଥିଲା ବାଖ୍ୟାନ କେନ୍ଦ୍ର। ତେବେ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ହଠାତ ୨ ରୁ ୩ ମାସ ହେବ ବିଭିନ୍ନ ଆଳ ଦେଖାଇ ଅଧା ଦରମା ହ୍ରାସ କରାଯାଇଛି । ଯାହାକୁ ବିରୋଧ କରି ଆଜି ଶତାଧିକ କର୍ମଚାରୀ ଅର୍କକ୍ଷେତ୍ର ବାଖ୍ୟାନ କେନ୍ଦ୍ରରେ ଚାବି ପକାଇବା ସହ ବାଖ୍ୟାନ କେନ୍ଦ୍ର ସମ୍ମୁଖରେ ଦରମା ବୃଦ୍ଧି ତୁରନ୍ତ କରାଯିବା ଦାବି ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଫଳରେ ପର୍ଯ୍ୟଟନ ଋତୁରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସି ସୂର୍ଯ୍ୟ ମନ୍ଦିରର ଐତିହ୍ୟ ବହନ କରୁଥିବା ଏହି ବାଖ୍ୟାନ କେନ୍ଦ୍ରକୁ ହଜାର ହଜାର ପର୍ଯ୍ୟଟକ ଦେଖି ନପାରି ଫେରି ଯାଇଛନ୍ତି । ଏଥିସହ ଅନେକ ପର୍ଯ୍ୟଟକ ବିଭିନ୍ନ ରାଜ୍ୟରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଆସି ଏପରି ହଇରାଣ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ଅତିରିକ୍ତ ଏସପିଙ୍କ ପ୍ରତିଶ୍ରୁତି ପରେ କୋଣାର୍କରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ
ଏବେ ପର୍ଯ୍ୟଟନ ଋତୁରେ ସବୁ ପର୍ଯ୍ୟଟନ ସ୍ଥଳ ଚଳଚଞ୍ଚଳ ହେଉଥିବା ବେଳେ କୋଣାର୍କଠାରୁ ଆରମ୍ଭ କରି ମାଆ ରାମଚଣ୍ଡୀ ମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ ପାଲଟିଛି ଜନ ସମୁଦ୍ର । ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ ମଜ୍ଜା ନେଉଛନ୍ତି । ଏହାରି ମଧ୍ୟରେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ପରିବାର ସହିତ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବା ପାଇଁ ଆସି ବାଖ୍ୟାନ କେନ୍ଦ୍ର ବୁଲି ନ ପାରି ନିରାଶ ହୋଇଛନ୍ତି । ଚଳିତ ବର୍ଷ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅର୍କକ୍ଷେତ୍ର ବାଖ୍ୟାନ କେନ୍ଦ୍ର ବୁଲି ଦେଖିବାରୁ ବଞ୍ଚିତ ହୋଇଛନ୍ତି ।
ଇଟିଭି ଭାରତ, ନିମାପଡା