ପୁରୀ: ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଛି । ପାରମ୍ପରିକ ନୀତି ଅନୁଯାୟୀ ଶ୍ରୀମନ୍ଦିରରେ ଜନ୍ମୋତ୍ସବ ପରେ ରାମଲୀଳା ଉତ୍ସବ ହେବ। ଏହି ଉପଲକ୍ଷେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ରୀତିନୀତି ଅନୁଯାୟୀ ଚୈତ୍ର ଶୁକ୍ଲ ନବମୀ ଦିନ ମଧ୍ୟାହ୍ନ ଧୂପ ଉଠିଲେ ଜୟବିଜୟ ଦ୍ବାର ବନ୍ଦ ହୁଏ । ସୁଧ ସୁଆର ଭଣ୍ଡାର ଘର ଆଗରେ ପୋଛାମାରିବା ପରେ ପୂଜାପଣ୍ଡା ଆସି ଜନ୍ମମଣ୍ଡଳ କାଟନ୍ତି । ମଧ୍ୟାହ୍ନ ଧୂପ ଓ ଦକ୍ଷିଣ ଘର ଭୋଗ ଶେଷ ପରେ ରାମଚନ୍ଦ୍ର ପ୍ରତିମାଙ୍କୁ ମହାଜନେ ଭିତର ସିଂହାସନକୁ ବିଜେ କରାନ୍ତି ।
ମୁଦିରସ୍ତ ଧଣ୍ଡି ପ୍ରସାଦ ଲାଗି କରିବା ପରେ ପ୍ରସାଦ ଉଲାଗି ହୋଇ ରାମଚନ୍ଦ୍ର ଠାକୁରଙ୍କୁ ଆଜ୍ଞାମାଳ ପ୍ରଦାନ କରି ଜନ୍ମମଣ୍ଡଳ ଉପରେ ବିଜେ କରାଯାଏ ।ମହାଜନମାନଙ୍କ ଭିତରୁ ଦୁଇଜଣ ଦଶରଥ ଓ କୌଶଲ୍ୟା ଭାବରେ ଖଣ୍ଡୁଆ ଘୋଡ଼ାଇ ହୋଇ ଜନ୍ମବିଧି କରାଯାଇଥାଏ । କର୍ପୂର ଆଳତି ବନ୍ଦାପନା ପରେ ମହାସୁଆର ଗଣ୍ଡୂଷ ମସଲା ଓ କ୍ଷୀର ମଣୋହି କରାନ୍ତି । ପୂଜାପଣ୍ଡା ଜନ୍ମବିଧି, ଶୀତଳ ଭୋଗ ମଣୋହି କରନ୍ତି । ଅନ୍ୟପଟେ ମହାସୁଆର ଜୟବିଜୟ ଦ୍ବାରଠାରେ ଚରୁଭାତ ମଣୋହି କରାନ୍ତି । ସମସ୍ତ ନୀତିକାନ୍ତି ପରେ ଠାକୁର ଦକ୍ଷିଣ ଘରକୁ ବାହୁଡ଼ାବିଜେ କରନ୍ତି ।
ନବମୀ ଦିନ ଜନ୍ମୋତ୍ସବ ପରେ ରାମଲୀଳା ଉତ୍ସବ ଚାଲେ । ଚୈତ୍ରଶୁକ୍ଲ ଦଶମୀ, ଏକାଦଶୀ, ଦ୍ବାଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ବୈଶାଖ କୃଷ୍ଣ ପ୍ରତିପଦ ଓ ଦ୍ବିତୀୟା ତିଥିମାନଙ୍କରେ ଯଥାକ୍ରମେ ଯଜ୍ଞରକ୍ଷା, ସୀତାବିବାହ, ବନବାସ, ମାୟାମୃଗ ବଧ, ଲଙ୍କାପୋଡ଼ି, ସେତୁବନ୍ଧ, ରାବଣବଧ ଲୀଳା ଉତ୍ସବ ପାଳନ କରାଯାଏ । ତେବେ ପବିତ୍ର ରାମ ନବମୀ ଅଵସରରେ ଆଜି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ