ପୁରୀ: ବନ୍ଦ ହେବ ଧାନ କିଣାରେ ମଧ୍ୟସ୍ଥି ବ୍ୟବସ୍ଥା । ଧାନକିଣାର 24 ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଧାନ ସଂଗ୍ରହ କମିଟି ବୈଠକରେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଏହାସହ ଏହି ବୈଠକରେ ଚଳିତ ବର୍ଷ ଖରିପ ଋତୁରେ 72 ହଜାର 58 ମେଟ୍ରିକ ଟନ ଧାନକିଣା ଯିବାକୁ ସ୍ଥିର ହୋଇଛି । ଜିଲ୍ଲାର 184 ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ କିଣାଯିବ । ଏପର୍ଯ୍ୟନ୍ତ 53 ହଜାର 189 ଚାଷୀ ଧାନ ବିକ୍ରି ନେଇ ନାମ ପଞ୍ଜିକରଣ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।
ଧାନମଣ୍ଡି ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ନିମନ୍ତେ ସାକ୍ଷୀଗୋପାଳ ଓ ନିମାପଡା ଆରଏମସି ସଚିବଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ବାହାରର କୌଣସି ଦଲାଲ ଯେପରି ଚାଷୀଙ୍କ ଠାରୁ ଶସ୍ତାରେ ଧାନ ନ କିଣନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର 20ରୁ ଧାନ କିଣା ଆରମ୍ଭ ହୋଇ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ତେବେ ଧାନ ସଂଗ୍ରହ କମିଟି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିବା ସୂଚନା ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ