ପୁରୀ: ପୁଣି ଶ୍ରୀମନ୍ଦିରରେ ଅଘଟଣ । ଭୋଗ ବୋହୁଥିବା ସମୟରେ ବାଇଶି ପାହାଚ ନିକଟରେ ପଡ଼ି ଜଣେ ବୋଝିଆ ଗୁରୁତର ଆହତ । ଗରମ ଅବଢ଼ା ଓ ଡାଲି ପଡି ଦେହରେ ଫୋଟକା ହୋଇଛି । ବେକ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ସେଠାରେ ଉପସ୍ଥିତ ଥିବା ଅନ୍ୟ ବୋଝିଆ ଓ ପୋଲିସ ମାନେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।
ପଞ୍ଚୁକର ତୃତୀୟ ଦିବସରେ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ତେବେ ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ସରିବା ପରେ ବୋଝିଆ ଭୋଗ ବୋହୁଥିଲେ । ବାଇଶି ପାହାଚ ନିକଟରେ ପ୍ରବଳ ଭିଡ଼ ଯୋଗୁ ଭକ୍ତ ମାନେ ତାଙ୍କ ଦେହରେ ଧକ୍କା ହୋଇଯିବାରୁ ଗରମ ଅବଢ଼ା , ଡାଲି ସହ ସେ ତଳେ ପଡିଯାଇଥିଲେ । ଫଳରେ ତାଙ୍କ ଦେହ ଫୋଟକା ହୋଇଯାଇଥିବା ବେଳେ ବେକ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଆହତ ଜଣଙ୍କ ହେଉଛନ୍ତି, ପୁରୀ ସଦର କଣ୍ଠପୁର ଗ୍ରାମର ମୂଷା ବରାଳ । ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ବୋଝିଆ ଓ ପୋଲିସ ମାନେ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ମାତିଲେ ମଙ୍କି କ୍ୟାପ୍ ଗ୍ୟାଙ୍ଗ୍, ଘରେ ପଶି ସଶସ୍ତ୍ର ଡକାୟତି
ପୁର୍ବରୁ ମଧ୍ଯ ଏହି ସ୍ଥାନରେ ଅନେକ ଥର ବୋଝିଆ ପଡ଼ି ଆହତ ହୋଇଥିବା ଦେଖାଯାଇଛି । ତେବେ ବୋଝିଆ ମାନେ ଯାଉଥିବା ରାସ୍ତାରେ ଗହଳି ନିୟନ୍ତ୍ରଣ କରିବା, ଯାତାୟତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଦାବି ହୋଇ ଆସୁଥିବା ବେଳେ ଶ୍ରୀ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ପ୍ରବଳ ଭିଡ ଯୋଗୁ ଠେଲା ପେଲାରେ ଭକ୍ତ ଅଣ ନିଶ୍ବାସୀ ହୋଇ ପଡୁଛନ୍ତି । ପୂର୍ବରୁ ଅନେକ ଥର ଠେଲା ପେଲାରେ ଭକ୍ତ ଆହତ ହୋଇଥିବା ଦେଖାଯାଇଛି । ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହେଉଥିବା ବେଳେ ଏହାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ଅଘଟଣ ହେବାର ଆଶଙ୍କା ଥିବା ଭକ୍ତ ଆଶଙ୍କା କରୁଛନ୍ତି । ପ୍ରବଳ ଭିଡକୁ ଡରି କେତେକ ଭକ୍ତ ଦର୍ଶନ କରି ନପାରି ନିରାଶ ହୋଇ ଫେରୁଥିବା ଅଭିଯୋଗ ମଧ୍ୟ ହେଉଛି । ହେଲେ ଶ୍ରୀ ମନ୍ଦିର ପ୍ରଶାସନ କିମ୍ବା ପୋଲିସ ଭିଡ ନିୟନ୍ତ୍ରଣ ନେଇ ନିର୍ଦ୍ଦିଷ୍ଟ ପଦକ୍ଷେପନ ନେବା ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରୁଛି ।