ପୁରୀ: ଓଡ଼ିଶାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ମହାପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ମହୋଦୟ ଅଷ୍ଟମୀ ଅନ୍ୟତମ। ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଏହି ନିଳାଦ୍ରୀ ମହୋଦୟ ଅଷ୍ଟମୀ ପାଳିତ ହୋଇଥାଏ। କିନ୍ତୁ ଏହି ମହାମାରୀ କୋରୋନା ପାଇଁ ଆଜି ସବୁ ଫିକା ପଡ଼ିଯାଇଛି । ପ୍ରଭୁଙ୍କ ନୀତିକାନ୍ତି ହେଉଛି ସତ, ହେଲେ ଏଥିରେ ସହଭାଗୀ ହୋଇ ପାରୁନାହାନ୍ତି ଭକ୍ତଗଣ ।
ଆଜିର ଦିନରେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱୟଂ ପ୍ରଭୁ ବ୍ରହ୍ମାଙ୍କୁ ସ୍ଵର୍ଗରୁ ନିମନ୍ତ୍ରଣ କରି ଶ୍ରୀମନ୍ଦିର ପ୍ରତିଷ୍ଠା କରାଇବା ସହ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ। ଏଣୁ ଏଥିପାଇଁ ପ୍ରତିବର୍ଷ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଏହି ନୀଳାଦ୍ରି ମହୋଦୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।
ମଧ୍ୟାନ ଧୂପ ପରେ ଏହି ନୀତିକାନ୍ତି ଆରମ୍ଭ ହୋଇଥାଏ । 108 ସ୍ୱତନ୍ତ୍ର ଅଧିବାସ ଜଳରେ ମହାପ୍ରଭୁଙ୍କ ଯାତ୍ରାଙ୍ଗି ସ୍ନାନ କାର୍ଯ୍ୟ କରାଯାଇଥାଏ । କିନ୍ତୁ ଏହି ସମାରୋହରେ ସହଭାଗୀ ହୋଇ ପାରୁ ନାହାଁନ୍ତି ପୁରୀବାସୀ । ଆଜି ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କୁ ବଡ଼ ଦାଣ୍ଡରେ ଠିଆ ହୋଇ ପ୍ରଭୁଙ୍କୁ ସ୍ମରଣ କରୁଛନ୍ତି ପୁରୀ ବାସିନ୍ଦା ।
ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ