ପୁରୀ: ଜନ୍ମବେଦୀରେ ଲୀଳାଖେଳ ପରେ ବଡଦାଣ୍ଡରେ ମହାପ୍ରଭୁଙ୍କ ସୁନାବେଶ ଓ ଅଧରପଣା ନୀତି ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ଆଜି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ ହେବେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ଊଳଭଦ୍ର ଓ ଦେବୀ ସୁଭଦ୍ରା । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଗତ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ଆଜି ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ । ଏହି ପରମ୍ପରା ଦୀର୍ଘ ବର୍ଷ ଧରି ହୋଇ ଆସୁଛି । ନୀଳାଦ୍ରି ବିଜେ ନୀତି କିଭଳି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।
![Niladri bije](https://etvbharatimages.akamaized.net/etvbharat/prod-images/01-07-2023/od-pur-02-niladribijeritual-avo-7205521_01072023064848_0107f_1688174328_280.jpg)
ପ୍ରଥମେ ବଳଭଦ୍ର ଓ ଦ୍ବିତୀୟରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବ । ଶେଷରେ ଜଗନ୍ନାଥ ଗୋଡି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ ଦୁଆର ବନ୍ଦ କରାଯିବ । ଏହାପରେ ଅନୁଷ୍ଠିତ ହେବ ଲକ୍ଷ୍ମୀ ନାରାୟଣ କଳି । ରଥଯାତ୍ରାରେ ସାଥିରେ ନେଇନଥିବାରୁ ଅଭିମାନିନୀ ମାଆ ଲକ୍ଷ୍ମୀ ସାଆନ୍ତାଣୀ କାଳିଆ ସାଆନ୍ତେଙ୍କ ବାଟ ଓଗାଳିବେ । ଏହାପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିବେ ମହାପ୍ରଭୁ । ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆଜି ଅପରାହ୍ନ ସମୟରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ ।
![Niladri bije](https://etvbharatimages.akamaized.net/etvbharat/prod-images/01-07-2023/od-pur-02-niladribijeritual-avo-7205521_01072023064848_0107f_1688174328_909.jpg)
ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ପାଇଁ ବଡଦାଣ୍ଡରେ ଦର୍ଶନ ଦେବେ ମହାବାହୁ । ପରେ ବିଜେ କାହାଳି ବାଜେ ଓ ଡୋରଲାଗି ନୀତି ଅନୁଷ୍ଠିତ ହେବ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିବେ । ପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ଶ୍ରୀବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ । ଆଜି ନୀଳାଦ୍ରି ବିଜେରେ ମହାପ୍ରଭୁ ଶ୍ରଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ତେବେ ଏହି ଅବସରରେ ଭକ୍ତ ମାନେ ମଧ୍ୟ ମହାପ୍ରଭୁଙ୍କୁ ରସ ଗୋଲା ଭୋଗ ଅର୍ପଣ କରନ୍ତି।
![Niladri bije](https://etvbharatimages.akamaized.net/etvbharat/prod-images/01-07-2023/od-pur-02-niladribijeritual-avo-7205521_01072023064848_0107f_1688174328_1098.jpg)
ଏହା ମଧ୍ୟ ପଢନ୍ତୁ-Adhara Pana: ତିିନି ରଥରେ ଭାଙ୍ଗିଲା ଅଧର ପଣା ହାଣ୍ଡି
![Niladri bije](https://etvbharatimages.akamaized.net/etvbharat/prod-images/01-07-2023/od-pur-02-niladribijeritual-avo-7205521_01072023064848_0107f_1688174328_386.jpg)
ଶ୍ରୀମନ୍ଦିର ପ୍ରଶାନର ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହେବା ସହ ଦିନ 10 ଟା 30 ରୁ 11 ଟା 30 ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ । ଏହା ପରେ ମଈଲମ, ବେଶ, ସଂଧ୍ୟା ଆଳତୀ, ସନ୍ଧ୍ୟାଧୂପ ଅନୁଷ୍ଠିତ ହେବ । ଦିନ 12ଟା30 ରୁ 1ଟା30 ମଧ୍ୟରେ ଚାର ବନ୍ଧା, 3 ଟା 50ରେ ପୁଷ୍ପାଞ୍ଜଳି ପରେ ଅପରାହ୍ନ 4 ଟାରୁ ପହଣ୍ଡି ଆରମ୍ଭ ହେବ ।
![Niladri bije](https://etvbharatimages.akamaized.net/etvbharat/prod-images/01-07-2023/od-pur-02-niladribijeritual-avo-7205521_01072023064848_0107f_1688174328_731.jpg)
ରାତି 10 ଟାରେ ପହଣ୍ଡି ଶେଷ ପରେ ମହାପ୍ରଭୁଙ୍କ ରୁନ୍ଧା, ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ ନୀତି ହେବ । ରାତ୍ର 1ଟା 15ରୁ 2ଟା 15 ମଧ୍ୟରେ ଚାର ମାଳ ଫିଟା ହେବ । ପରେ ସୁଦର୍ଶନ ଦେବ ସିଂହାସନକୁ ବିଜେ ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ି ଭୋର 4ଟା 1ରେ ବଡ ସିଂହାର ବେଶ, 4ଟା 45ରେ ବଡ ସିଂହାର ଭୋଗ, 5ଟାରେ ରାତ୍ର ପହୁଡ଼ ନୀତି ହେବ । ସେପଟେ ମନ୍ଦିର ବାହାରେ ଆଜି ମହାପ୍ରଭୁଙ୍କୁ ଶେଷ ଦର୍ଶନ କରିବେ ଭକ୍ତ । ଲୀଳାଖେଳର ଶେଷ ଦିନ ଥିବାରୁ ପୁରୀରରେ ଭକ୍ତଙ୍କ ନାହିଁନଥିବା ଭିଡ । ଶେଷଥର ପାଇଁ କାଳିଆକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ପୁଣି ଅପେକ୍ଷା ଆର ବର୍ଷକୁ ।
ଇଟିଭି ଭାରତ, ପୁରୀ