ପୁରୀ: ପୁରୀ ସହରକୁ ସରସ ସୁନ୍ଦର ସହ ସାରା ବିଶ୍ୱରେ ପୁରୀକୁ ଏକ ନମ୍ବର କରିବା ପାଇଁ ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । ଆଗରୁ ପୁରୀରେ ଅନେକ ଧର୍ମଶାଳା ରହିଥିବା ବେଳେ ଏବେ ଏକ ବୃହତ ଧର୍ମଶାଳା ନିର୍ମାଣ କରାଯାଇଛି । ଏଣିକି ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତ ସ୍ବଳ୍ପ ମୂଲ୍ୟ ଦେଇ ରହିବେ ।
ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏଣିକି ଭୋଗିବାକୁ ପଡିବନି ଅସୁବିଧା । ରାଜ୍ୟସରକାରଙ୍କ ପ୍ରଚେଷ୍ଠାରେ ଧର୍ମର ଭୂମିରେ ଗଢି ଉଠୁଛି ଧର୍ମଶାଳା । ସ୍ବଳ୍ପ ମୂଲ୍ୟ ଦେଇ ଏକାଠି ରହିପାରିବେ ୪ ହଜାର ଭକ୍ତ । ପୁରୀ ମଙ୍ଗଳାଘାଟ ସ୍ଥିତ ବାସେଳୀ ସାହି ଥାନା ନିକଟରେ ଥିବା ମହାପ୍ରଭୁଙ୍କ ଜମିରେ ନିର୍ମାଣ ହେଉଛି ଏହି ଧର୍ମଶାଳା । ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ମୋଟ ୧୦ ଏକର ଜାଗାରେ ୧୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାରି ମହଲା ବିଶିଷ୍ଟ ୬ଟି ବହୁତଳ ପ୍ରାସାଦ କରାଯାଉଛି। ଆସନ୍ତା ୨୦୨୪ ମସିହା ସୁଦ୍ଧା ଏହି ଧର୍ମଶାଳା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଟାର୍ଗେଟ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏହା ମଧ୍ୟ ପଢନ୍ତୁ: ପୌଷ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାତ୍ରୀଙ୍କ ଆଗମନ ସଂଖ୍ୟା ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ବଢ଼ି ଯାଇଛି । ଏଣୁ ଭକ୍ତଙ୍କ ସ୍ବଳ୍ପ ମୁଲ୍ୟରେ ରହଣୀ ପାଇଁ ପୂର୍ବରୁ ନରେନ୍ଦ୍ର କୋଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୃନ୍ଦାବତୀ ନିବାସ ମଧ୍ୟ ଉଦଘାଟିତ ହୋଇଛି । ୬ ମହଲା ବିଶିଷ୍ଟ ଏହି ବୃନ୍ଦାବତୀ ନିବାସରେ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ରହଣୀ ପାଇଁ କୋଠରୀର ବ୍ୟବସ୍ଥା ରହିଛି। କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ଏଠାରେ ରହିବା ସହ ଅନ୍ୟ ସମୟରେ ସାଧାରଣ ଭକ୍ତ ମାନେ ସ୍ବଳ୍ପ ମୁଲ୍ୟରେ ଏହି କୋଠରୀରେ ରହିପାରିବାର ବ୍ୟବସ୍ଥା କରାଯାଉଛି। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଏନେଇ ସହରବାସୀ କହିଛନ୍ତି, "ଏହା ନିଶ୍ଚିତଭାବେ ଉତ୍ତମ ପଦକ୍ଷେପ । ସ୍ବଳ୍ପ ମୂଲ୍ୟ ଦେଇ ଗରିବ ଲୋକେ ଧର୍ମଶାଳାରେ ରହିପାରିବେ ଏହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ । ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁସବୁ ଧର୍ମଶାଳା ହୋଇଥିଲା ସେଥିରେ ଗରିବ ହିତାଧିକାରୀଙ୍କ ବଦଳରେ ଧନୀ ଶ୍ରେଣୀର ଲୋକ ରହୁଥିଲେ । କିନ୍ତୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ବର୍ତ୍ତମାନ ନିର୍ମାଣ କରାଯାଉଥିବା ଧର୍ମଶାଳାରେ ପ୍ରକୃତ ହିତାଧିକାରୀ ରୁହନ୍ତୁ ।"
ପୁରୀ ସହରକୁ ସରସ ସୁନ୍ଦର ସହ ସାରା ବିଶ୍ୱରେ ପୁରୀକୁ ଏକ ନମ୍ବର କରିବା ପାଇଁ ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । ଏହି ଧର୍ମଶାଳା ଦ୍ବାରା ଆଗାମୀ ଦିନରେ ଭକ୍ତମାନେ ବେଶ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ପୁରୀ