ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ନେଇ ନୂଆ ମାର୍କେଟ କମ୍ପ୍ଲେକ୍ସରେ ଗୃହ ବଣ୍ଟନ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ବଣ୍ଟନରେ ସ୍ୱଚ୍ଛତା ନ ରହିଲେ ଆନ୍ଦୋଳନ ଚେତାବନୀ ଦେଇଛି କଂଗ୍ରେସ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପୁରୀ ସହରରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଶେଷ ହେବା ପରେ ଦୋକାନ ଗୃହ ଆବଣ୍ଟନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ପୁରୀ ମାର୍କେଟ ଛକର ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସ, ମୋଚିସାହି ଛକର ମାର୍କେଟ କମ୍ପ୍ଲେକ୍ସ ଏବଂ ଜେଲ୍ ରୋଡ଼ରେ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରେ ବିସ୍ଥାପିତ ବ୍ୟବସାୟୀଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯାଇଛି । ଆବଣ୍ଟନ ପ୍ରକ୍ରିୟାରେ ସ୍ବଚ୍ଛତା ରଖିବା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇ ବ୍ୟବସାୟୀଙ୍କୁ ଦୋକାନ ଗୃହ ଦିଆଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଅନେକ ବ୍ୟବସାୟୀ ବିସ୍ଥାପିତ ହୋଇଥିଲେ । ତେବେ ସେମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍କେଟ ଛକ, ମୋଚିସାହି ଓ ଜେଲ୍ ରୋଡ଼ରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ କରାଯାଇ ବିଭିନ୍ନ ପ୍ରକ୍ରିୟାରେ ବିସ୍ଥାପିତ ହୋଇଥିବା ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଛି । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖରେ ପୁରୀ ମାର୍କେଟ ଛକରେ ଥିବା ମ୍ୟୁନିସିପାଲଟି ମାର୍କେଟକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହାମଧ୍ୟ ପଢନ୍ତୁ..ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ହେବ ପ୍ରତିଷ୍ଠା ଉତ୍ସବ: ୩ ଦିନ ଧରି ଚାଲିବ ହୋମଯଜ୍ଞ
ତେବେ ପରବର୍ତ୍ତୀ ସମୟରେ ମୋଚି ସାହି ଏବଂ ଜେଲ୍ ରୋଡ଼ରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ । ମୋଟ ୧୪୮ କୋଟି ଟଙ୍କା ବ୍ୟୟରେ ମାର୍କେଟ ଛକ, ମୋଚିସାହି ଓ ଜେଲ୍ ରୋଡ଼ରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରେ ମୋଟ ୧୦୦୦ଟି ଦୋକାନ ଗୃହ ରହିଛି । ଯାହାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିସ୍ଥାପିତ ବ୍ୟବସାୟୀଙ୍କ ସମେତ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସ ଏବଂ ମୋଚିସାହି ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟୀଙ୍କୁ ମଧ୍ୟ ଥଇଥାନ କରିବା ପାଇଁ ଏହି ତିନୋଟି ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସ୍ଥା ହୋଇଛି ।
ସେପଟେ ଦୋକାନ ଗୃହ ଆବଣ୍ଟନରେ ପ୍ରିୟାପ୍ରୀତି ପୋଷଣ ନକରି ସଠିକ ଢଙ୍ଗରେ ଯୋଗ୍ୟ ବିସ୍ଥାପିତ ବ୍ୟବସାୟୀଙ୍କୁ ଦୋକାନ ଗୃହ ଦେବା ପାଇଁ ଦାବି କରିଛି କଂଗ୍ରେସ । ନ ହେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୁରୀ ନଗର କଂଗ୍ରେସ ସଭାପତି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଯୋଗ୍ୟ ବ୍ୟକ୍ତିଙ୍କୁ ଦୋକାନ ଘର ଦେବା ପାଇଁ ପୁରୀ ନଗର କଂଗ୍ରେସ ଦାବି କରିଛି ।
ଇଟିଭି ଭାରତ, ପୁରୀ