ପୁରୀ: ବେଆଇନ ବାଲି ଓ ପଥର ଚାଲାଣକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୁରୀ ପୋଲିସ । ପୁରୀ ଏସପି ଆଖିଲେଶ୍ବର ସିଂଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନା ଅଞ୍ଚଳ ଚଢ଼ାଉ କରାଯାଇ 14 ଜଣଙ୍କୁ ଗିରଫ କରାଯାଇଛି । ଚୋରା ଚାଲାଣ ହେଉଥିବା ଗାଡି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗାଡି ମାଲିକଙ୍କ ନାରେ ମାମଲା ରୁଜୁ କରି ଗିରଫ ପାଇଁ ଅଭିଯାନ ଆରମ୍ଭ କରିଛି ।
ପୋଲିସର ସୂଚନା ଅନୁଯାୟୀ, ପୁରୀ ବଳିଆ ପଣ୍ଡା ଥାନା ଅଧିନ ସମୁଦ୍ର କୂଳରୁ ଚୋରା ବାଲି ଚାଲାଣ ବେଳେ ପୋଲିସ 4 ଟି ବାଲି ଭର୍ତ୍ତି ଟ୍ରାକ୍ଟର ସହ ଡ୍ରାଇଭରଙ୍କୁ ଧରିଛି । ଏ ନେଇ ଏକ ମାମଲା ରୁଜୁ କରାଯାଇ 4 ଜଣ ଗାଡି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଅଗାମୀ ଦିନରେ ଟ୍ରାକ୍ଟର ମାଲିକ ଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଅନ୍ୟପଟେ ପୁରୀ ସଦର ଥାନା ଅଞ୍ଚଳରେ ବାଲି ଚୋରା ଚାଲାଣ ଅଭିଯୋଗରେ ପୋଲିସ 7 ଟ୍ରାକ୍ଟର , ଟ୍ରକ ଓ ଟିପର ଜବତ କରିବା ସହ 8 ଜଣ ଡ୍ରାଇଭରଙ୍କୁ ଗିରଫ କରିଛି । ସେହିପରି ଜଟଣୀରୁ ବେଆଇନ ପଥର ସହିତ ବାଲି ଚାଲାଣ କରି ନିମାପଡା ଆସୁଥିବା ବେଳେ 2 ଟ୍ରକକୁ ପୋଲିସ ଜବତ କରିବା ସହ 2 ଜଣ ଡ୍ରାଇଭରଙ୍କୁ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ