ପୁରୀ: ଐତିହାସିକ ସହର ପୁରୀ । ସାରା ବିଶ୍ୱରେ ପୁରୀ ବେଳାଭୂମିର ରହିଛି ସ୍ବତନ୍ତ୍ର ପରିଚୟ । ପୁରୀ ଶ୍ରୀମନ୍ଦିର ପରେ ବେଳାଭୂମି ହେଉଛି ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ । ପୁରୀ ବେଳାଭୂମି କିପରି ଆବର୍ଜନା ମୁକ୍ତ ରହିବ ସେନେଇ ମଧ୍ୟ ପ୍ରୟାସ ଜାରି ରହିଛି । ଏହାର ସଫାସୁତୁରା ଓ ସୌନ୍ଦର୍ଯ୍ଯକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ପ୍ରତିଦିନ ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନର ମଜା ଉଠାଉଛନ୍ତି । କିନ୍ତୁ ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକ ବା ସହରବାସୀଙ୍କୁ ବ୍ୟଥିତ କରିଛି ସ୍ବେରେଜ ମଇଳା ପାଣି । ନର୍ଦ୍ଦମାର ମଇଳା ପାଣି ବେଳାଭୂମି ରାସ୍ତାରେ ଲହଡି ମାରିବା ସହ ସମୁଦ୍ର ଗର୍ଭରେ ଯାଇ ମିଶୁଛି । ଫଳରେ ଦୁର୍ଗନ୍ଧମୟ ପରିବେଶକୁ ନେଇ ରାସ୍ତାରେ ଚାଲିବାକୁ ମଧ୍ୟ ଇଚ୍ଛା କରୁନାହାନ୍ତି ପର୍ଯ୍ୟଟକ ।
ପୁରୀ ବେଳାଭୂମିର ସ୍ବତନ୍ତ୍ର ସ୍ଥାନ ସାରା ବିଶ୍ୱରେ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ବରେଜ ଭିତରୁ ବାହାରୁଥିବା ମଇଳା ପାଣି ବେଳାଭୂମି ରାସ୍ତା ଉପରେ ଭାସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା । ଆଶ୍ଚର୍ଯ୍ୟର ବିଷୟ ମାତ୍ର ଶହେ ମିଟର ଦୂରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପ୍ରତି ପ୍ରଶାସନର ଯେମିତି ନିଘା ନଥିବା ପରି ମନେ ହେଉଛି । ତେବେ ଏହି ସମସ୍ୟା ପାଇଁ ପ୍ରଶାସନକୁ ସିଧାସଳଖ ଦାୟୀ କରିଛନ୍ତି ପର୍ଯ୍ୟଟକ ତଥା ସହରବାସୀ । ପ୍ରଶାସନ ଏବଂ ହୋଟେଲିୟର ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଆନନ୍ଦ ବଜାରରେ ଲାଗୁନି ରେଟଚାର୍ଟ, ଚଢାଦରରେ ଅଭଡା କିଣି ଅତିଷ୍ଠ ଶ୍ରଦ୍ଧାଳୁ
''ସେପଟେ କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ଅଧିନରେ ଏବେ ସ୍ବେରେଜ ବିଭାଗ ରହିଥିବାବେଳେ ଏହି ସବୁ ସମସ୍ୟା ପାଇଁ ନିଜ ମୁଣ୍ଡରୁ ଦୋଷ ଖସାଇ ହୋଟେଲିୟରଙ୍କ ଉପରେ ଦୋଷ ଲଦି ଚୁପ୍ ବସିଛନ୍ତି ବିଭାଗୀୟ ଅଧିକାରୀ । ସ୍ବେରେଜରେ ହୋଟେଲ ଗୁଡିକ ତାଙ୍କର ବର୍ଜ୍ୟ ଜଳ ଏବଂ ଅନ୍ୟ କିଛି ବର୍ଜ୍ୟ ସାମଗ୍ରୀ ଛାଡୁଥିବାରୁ ଏହା ଜାମ୍ ହୋଇ ରାସ୍ତାରେ ଭାସୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ଅଧିକାରୀ ।'' ଅନ୍ୟପଟେ ହୋଟେଲ ଆସୋସିଏସନର ଉପସଭାପତି କହିଛନ୍ତି, '' ହୋଟେଲ ମାଲିକ ତଥା କର୍ମଚାରୀ ମାନେ ଏହି ନିୟମ ଉଲ୍ଲଂଘନ କରୁଛନ୍ତି । ତେବେ ଆଗାମୀ ଦିନରେ ଏଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ ହୋଟେଲ ଆସୋସିଏସନ୍ ପକ୍ଷରୁ ସମସ୍ତ ହୋଟେଲ ମାଲିକ ମାନଙ୍କୁ ଅନୁରୋଧ କରାଯାଇଛି । ''
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାସ୍ତା ଉପରେ ନର୍ଦ୍ଦମା ଜଳ ପ୍ରବାହିତ ନେଇ କେଉଁଠି ସମସ୍ୟା ରହିଛି ସନେଇ ଉଭୟ ଜନ ସ୍ବାସ୍ଥ୍ୟ ବିଭାଗ ଏବଂ ପୁରୀ ପୌରପାଳିକା ଅବଗତ ଅଛନ୍ତି । ମାତ୍ର ଏଦିଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏପରିକି ଅଭ୍ୟାସଗତ ଆଇନ ଖିଲାପକାରୀ ହୋଟେଲ କତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୁରୀ ବିଶ୍ବସ୍ତରୀୟ ଐତିହ୍ୟ ନଗରୀ ଭାବେ ପରିଣତ ହେଉଥିବା ବେଳେ ବେଳାଭୂମି ପ୍ରତି ଅଣଦେଖା କରାଯାଉଥିବାରୁ ପର୍ଯ୍ୟଟକ ଏବଂ ସହରବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ଇଟିଭି ଭାରତ, ପୁରୀ