ପୁରୀ: ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମଙ୍ଗଳବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହା ୩ ଦିନ ଧରି ଚାଲିବାକୁ ଥିବା ବେଳେ ଦୀପମୟ ହୋଇଛି ଶ୍ରୀମନ୍ଦିର ସିଂହଦ୍ବାର । ମଙ୍ଗଳବାର ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ନୀତି ସରିବା ପରେ ବିଗ୍ରହମାନେ ନିଜ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରି ଶ୍ରାଦ୍ଧ ଦେଇଛନ୍ତି ।
ମଙ୍ଗଳବାର ସନ୍ଧ୍ୟାରେ ଦୀପମୟ ହୋଇଥିଲା ଶ୍ରୀମନ୍ଦିର ସିଂହଦ୍ବାର । ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ଓ ବିଶ୍ଵ ସନାତନ ଧର୍ମ ପୀଠ ସମନ୍ଵୟ ମଞ୍ଚ ପକ୍ଷରୁ ସିଂହଦ୍ଵାର ସମୁଖରେ ଜଗତର କଲ୍ୟାଣ ପାଇଁ ସମୂହ ଦୀପଦାନ କରାଯାଇଛି । ସେବାୟତ, ମଠାଧିଶ ଓ ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ଗୀତଗୋବିନ୍ଦ ଓ ବେଦ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ଵାର । ଏହି କାର୍ଯ୍ୟକ୍ରମରେ ଓଲିଉଡ଼ ଷ୍ଟାର ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯକ୍ରମରେ ଭକ୍ତ ମାନେ ସାମିଲ ହୋଇ ବେଶ୍ ଭାବ ବିହ୍ଵଳିତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଓଡିଶାରେ ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ
ସୂଚନାଅନୁସାରେ, ମଙ୍ଗଳବାର ଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ଆରମ୍ଭ ହୋଇଥିବା ବେଳେ ଏହା ୩ ଦିନ ଧରି ଚାଲିବ । ଏହି ୩ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ବୁଧବାର ଅମବାସ୍ୟା ତିଥିରେ ଦଶରଥ, କୌଶଲ୍ୟା ଏବଂ ତୃତୀୟ ଦିନ ପ୍ରତିପଦା ତିଥିରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ କରିବାର ପରମ୍ପରା ରହିଛି ।
ଏହା ଦେବ ଦୀପାବଳିରେ ଯୋଗଦେଇ ଅଭିନେତା ସବ୍ୟସାଚୀ କହିଛନ୍ତି," ଦେବ ଦୀପାବଳିରେ ବଡଦାଣ୍ଡରେ ଠିକା ହେବା ନିଶ୍ଚୟ କେଉଁ ଜନ୍ମର ପୂଣ୍ୟର ଫଳ । ପାଟଯୋଶୀ ମହାରାଜ ଏବଂ ପ୍ରଶାସନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୋତେ ଲାଗେ ମହାପ୍ରଭୁ ବି ମଣିଷ ଭଳି । ଯାହାକି ମୋତେ ଅତ୍ୟନ୍ତ ଖୁସି ଲାଗେ । ଏହି ଦେବ ଦୀପାବଳିରେ ମଧ୍ୟ ମହାପ୍ରଭୁ ପିତୃପୁରୁଷଙ୍କୁ ଦୀପଦାନ କରିଥାନ୍ତି । ମହାପ୍ରଭୁ ଆମ ଭିତରେ ଅଛନ୍ତି । ଆମେ ମହାପ୍ରଭୁଙ୍କୁ ନେଇ ଗର୍ବିତ । ମହାପ୍ରଭୁଙ୍କ ହସହସ ମୁହଁ ଦେଖିଲେ ଲାଗେ ସତେ ଯେମିତି ସବୁ ମିଳିଗଲା । "
ଇଟିଭି ଭାରତ, ପୁରୀ