ପୁରୀ: ଆଜି(ମଙ୍ଗଳବାର) ଚମ୍ପକ ଦ୍ଵାଦଶୀ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବିବାହ ପରଦିନ ଦେବ ଦମ୍ପତି ନଗର ପରିକ୍ରମା କରିଥାନ୍ତି । ଦେବଦମ୍ପତିଙ୍କୁ ସ୍ବାଗତ କରି ଶ୍ରୀକ୍ଷେତ୍ରବାସୀ ପନ୍ତି ଭୋଗ କରିଥାନ୍ତି ।
ଅପରାହ୍ନରେ ଠାକୁର ପାଲିଙ୍କିକୁ ବିଜେ ହୋଇ ରାତିରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି । ଏଥିସହିତ ଶ୍ରୀମନ୍ଦିରରେ ଚମ୍ପକ ଦ୍ଵାଦଶୀ ନୀତି ଅନୁଷ୍ଠିତ ହେବ । ସକାଳ ଧୂପ, ଭୋଗମଣ୍ଡପ ଓ ମଇଲମ ସରିବାପରେ ଠାକୁରଙ୍କ ଆଲଟ ଲାଗି ବଢିବ । ତିନି ବାଡ଼ରେ ଯାତ୍ରାଙ୍ଗୀ ମହାସ୍ନାନ ହୋଇ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯିବ ।
ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ଓ ଦକ୍ଷିଣୀଘର ଭୋଗ ସରିଲେ ଦେବଦମ୍ପତି ମନ୍ଦିରକୁ ବିଜେ ହେବେ । ଦେବଦମ୍ପତିଙ୍କୁ ବନ୍ଦାପନା କରାଯିବ । ଏହାପରେ ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ ହେବେ । ବିମାନବଡୁ ସେବକମାନେ ପାଲିଙ୍କି କାନ୍ଧେଇ ଶ୍ରୀମନ୍ଦିରକୁ ପରିକ୍ରମା କରି ନଗର ପରିକ୍ରମାରେ ବାହାରିବେ । ଗତକାଲି(ସୋମବାର) ରୁକ୍ମଣୀ ହରଣ ଏକାଦଶୀରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ