ପୁରୀ: ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀ ସଂଗଠନ ତରଫରୁ ଚିକେନ ବିରିୟାନୀ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମୟରେ ଜଣେ ହେତୁବାଦୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମହାପ୍ରସାଦ ସହ ଚିକେନ ଭୋଗ ଲଗାଇବା ଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାସହ ଅନ୍ୟ ଜଣେ ବ୍ୟକ୍ତି, ଲଷ୍ମଣଙ୍କୁ ନେଇ ବିବାଦୀୟ ବୟାନ ଦେବାସହିତ ଓ ମହାପ୍ରଭୁ ଜଗନ୍ନାଥ ଜଗତର ନାଥ ନୁହନ୍ତି ବୋଲି କହିଥିଲେ । ଉଭୟଙ୍କ ବିରୋଧରେ ପୁରୀ ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।
ଗତ ଅମାବାସ୍ୟାରେ ସୂର୍ଯ୍ୟପରାଗ ପରେ ଗତକାଲି (ମଙ୍ଗଳବାର) ଚନ୍ଦ୍ର ଗ୍ରହଣ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ହେତୁବାଦୀ ସଂଗଠନ ତରଫରୁ ଚିକେନ ବିରିୟାନୀ ପ୍ରସ୍ତୁତ କରି ଖାଇବା ଓ ଖୁଆଇବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ମହାପ୍ରସାଦ ସହ ଚିକେନ ଭୋଗ ଲଗାଇବା ପାଇଁ ଗଣମାଧ୍ୟମରେ ଜଣେ ହେତୁବାଦୀ ବ୍ୟକ୍ତି ମନ୍ତବ୍ୟ ଦେଇଥିଲେ । ଅନ୍ୟ ଜଣେ ବ୍ୟକ୍ତି ପ୍ରଭୁ ଶ୍ରୀରାମଙ୍କ ଭାଇ ଲଷ୍ମଣଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ତେଣୁ ଉଭୟ ବ୍ୟକ୍ତିଙ୍କ ବିବାଦୀୟ ମନ୍ତବ୍ୟ ଦ୍ବାରା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ ହେବା ସହ ମହାପ୍ରସାଦ ସହ ଚିକେନ ଭାତ ଭୋଗ ଲଗେଇବା ଭଳି ବିବାଦୀୟ ମନ୍ତବ୍ୟ ଦେବା ଫଳରେ ମହାପ୍ରସାଦକୁ ଅପମାନ ହୋଇଛି ବୋଲି ପୁରୀର ଯୁବ ଅଧିବକ୍ତା ମଞ୍ଚ ଅଭିଯୋଗ କରିଛି ।
ତେବେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ସହ ଅପସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏବଂ ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ତଥାକଥିତ ହେତୁବାଦୀ ମାନେ ଏଭଳି ମନ୍ତବ୍ୟ ରଖିଛନ୍ତି । ଯାହାକି ସନାତନ ଧର୍ମର ବିଧି ବ୍ୟବସ୍ଥାକୁ ଅପମାନିତ କରିବା ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଛି ବୋଲି ଅଭିଯୋଗ ହୋଇଛି । ଏଭଳି ମନ୍ତବ୍ୟ ଦ୍ବାରା ସମାଜରେ ଦଙ୍ଗା ସୃଷ୍ଟି ହେବାର ଅନୁମେୟ କରାଯାଏ । ଯାହାକି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ । ତେଣୁ ସେହି ଦୁଇ ହେତୁବାଦୀ ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ଐତିହ ସୁରକ୍ଷା ଆଇନ ଓ ଭାରତୀୟ ଦଣ୍ଡ ବିଧି ଆଇନର ଦଫା 295, 295(A), 296 ଅନୁସାରେ ଗିରଫ କରିବା ପାଇଁ ମଞ୍ଚ ଦାବି କରିଛି ।
ଇଟିଭି ଭାରତ, ପୁରୀ