ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥର ଜଣେ ଯୁବକ ଆନନ୍ଦ ବଜ଼ାରରେ ଅବଢା ବିକ୍ରି ସମୟର ଫଟୋ ନିଜ ମୋବାଇଲରେ ଉଠାଇ ଫେସବୁକ୍ରେ ଅପଲୋଡ଼ କରିଛନ୍ତି । ଫଟୋ ଭାଇରାଲ କରିଥିବା ଯୁବକ ଜଣକ ହେଉଛନ୍ତି ପିଣ୍ଟୁ ମହାପାତ୍ର ।
ଶ୍ରୀମନ୍ଦିର 4 ଦ୍ବାରରେ କଡା ନିରାପତ୍ତା ବ୍ୟବସ୍ଥା ଥିବା ସତ୍ତ୍ବେ ମୋବାଇଲ ଶ୍ରୀମନ୍ଦିର ଭିତରକୁ ଯିବା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ଜଣେ ଯୁବତୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଥିଲେ । ଉକ୍ତ ଯୁବତୀଙ୍କୁ ପୋଲିସ ପଚରାଉଚରା କରି ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିଲା । ଉକ୍ତ ଘଟଣା ପରେ ପୁରୀ ଏସପି ଉମାଶଙ୍କର ଦାସ ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ପୋଲିସକୁ ଚେକିଂ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ପୁଣିଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁରୀ ପୋଲିସ କିଭଳି ସୁରକ୍ଷା ବ୍ୟବସ୍ଥା ସମ୍ଭାଳୁଛି ତାହାର ସତ୍ୟତା ସାମନାକୁ ଆସିଛି । ସେପଟେ ଶ୍ରୀମନ୍ଦିର ସର୍ବଦା ଆତଙ୍କୀଙ୍କ ଟାର୍ଗେଟରେ ଥିବାବେଳେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ବାରମ୍ବାର ପୁରୀ ପୋଲିସକୁ ସତର୍କ କରିଛି । ତେବେ ଏହି ସତର୍କତାକୁ ପୁରୀ ପୋଲିସ କେତେ କାର୍ଯ୍ୟ କରୁଛି ତାହା ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଜଣାପଡିଛି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସର୍ବଦା ଆତଙ୍କୀଙ୍କ ଟାର୍ଗେଟରେ ଥିବାରୁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପାଇଁ ମୋବାଇଲ ଫୋନ ନେବାକୁ ନିଷିଦ୍ଧ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ