ନୂଆପଡା: ଜିଲ୍ଲାର ସିନାପାଲି ପୋଲିସ ପ୍ରଶାସନର ଅଭିନବ ପ୍ରୟାସ । ଆମ ପୋଲିସ ସମିତି ପକ୍ଷରୁ ପୋଲିସ କ୍ୟାମ୍ପସ ଭିତରେ ବ୍ଲକ ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସମାପ୍ତ ହୋଇଛି । ଗ୍ରାମାଞ୍ଚଳର ବ୍ୟାଡ଼ମିଣ୍ଟନ ଖେଳାଳି ତଥା ଯୁବ କ୍ରୀଡ଼ାବିତ ମାନଙ୍କୁ ସୁଯୋଗ ଦେଇ ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ନିମନ୍ତେ ଏହା ଏକ ଉତ୍ତମ ପ୍ରଚେଷ୍ଟା । ଏହା ଫଳରେ ଗାଁର ଯୁବ ପ୍ରତିଭା ମାନେ ନିଜ ଅଞ୍ଚଳରେ ସୀମିତ ରହିଯାଉଥିବା ବେଳେ, ଖେଳରେ ଚମତ୍କାରିତା ଦେଖାଇ ଆଉ କିଛି ପାଦ ଆଗକୁ ବଢି ପାରିବେ ।
ଏହି ଅବସରରେ ଥାନାଧିକାରୀ ଜ୍ୟୋତିରଞ୍ଜନ ଗଉଡ଼, ପୋଲିସ ଏବଂ ଜନତାଙ୍କ ମଧ୍ୟରେ କୌଣସି ତାରତମ୍ୟ ନାହିଁ, ଆଇନକୁ ସମ୍ମାନ ଦେଇ ଦେଶର ଜାଗ୍ରତ ପହରି ରୂପେ କାମ କରି ସମସ୍ତଙ୍କୁ ସୁରକ୍ଷା ଦେବା ପୋଲିସର ପରମ କର୍ତ୍ତବ୍ୟ । ଏହା ଭିତରେ କିଛି ସମୟ ବାହାର କରି ଯୁବ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ହେଉଛି ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ତହସିଲଦାର ଲୋକନାଥ ଶବର ଯୋଗ ଦେଇଥିଲେ ।
ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜଗନ୍ନାଥ ମେହେର ଏଣ୍ଡ ପାର୍ଟନର v/s ଛୋଟୁ ମେହେର ଏଣ୍ଡ ପାର୍ଟନର ମଧ୍ୟରେ ହୋଇଥିଲା । 3 ସେଟ ବିଶିଷ୍ଟ ମ୍ୟାଚକୁ 2-1 ରେ ଛୋଟୁ ମେହେର ଏଣ୍ଡ ପାର୍ଟନର ଜିତି ଯାଇଥିଲା । ସୁଜିତ ସାମନ୍ତରାୟ ଏବଂ କିଶୋର ମେହେର ଖେଳ ପରିଚାଳନା କରିଥିବାବେଳେ, ବରିଷ୍ଠ ଶିକ୍ଷକ ଲଳିତ ସୁନାରୀ ଧାରା ବିବରଣୀ ପ୍ରଦାନ କରିଥିଲେ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ