ନୂଆପଡା: ଗରିବ ଲୋକଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା । ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ବାସଗୃହ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ଆଜି ବି ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଟି ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡିବା ସରକାରଙ୍କ ଯୋଜନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଗରିବ ଲୋକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ଯୋଜନା କରିଛନ୍ତି । ହେଲେ ଏହି ଯୋଜନାର ସୁଫଳ ଗରିବ ଲୋକଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଜାମବାହେଲି ଗାଁରୁ ।
ଗାଁର ଗୋବର ଜଗତ ନାମକ ବ୍ୟକ୍ତି ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡିତ ଥିଲେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ତାଙ୍କର ଚିକିତ୍ସା ହୋଇପାରି ନଥିଲା । ଶେଷରେ ଦୀର୍ଘଦିନ ଧରି ବେଡରେ ପଡି ରହିବା ପରେ ସେ ପ୍ରାଣ ହରାଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଗରିବଙ୍କ ପାଇଁ ସରକାର ଯେଉଁ ସବୁ ଯୋଜନା କରିଛନ୍ତି, ତାହାର ପ୍ରକୃତ ଫାଇଦା କେଉଁମାନେ ଉଠାଉଛନ୍ତି । ତାହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
ନୂଆପଡାର ମୋତିଲାଲ ବାଗ, ଇଟିଭି ଭାରତ