ନୟାଗଡ: ବାଲେଶ୍ବରରୁ ଜଣେ ମହିଳାଙ୍କୁ ଅପହରଣ କରି ଟ୍ରକ କଣ୍ଟେନରରେ ଦୀର୍ଘ 20ଦିନ ଗଣଦୁଷ୍କର୍ମ କରିବା ଓ ନୟାଗଡରେ ଅସହାୟ ତଥା ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ଠାବ ହେବା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ କଲା ନୟାଗଡ ପୋଲିସ । ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ବତନ୍ତ୍ର ଟିନ ଗଠନ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜ଼ିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ 26 ବର୍ଷୀୟା ମହିଳାଙ୍କୁ 2 ଜଣ ଯୁବକ ଏକ ଟ୍ରକରେ ଅପହରଣ କରି ଦୀର୍ଘ 20 ଦିନ ପର୍ଯ୍ୟନ୍ତ ଏକ କଣ୍ଟେଣର ଗାଡ଼ିରେ ମହିଳାଙ୍କୁ ଗଣଦୁଷ୍କର୍ମ କରୁଥିଲେ l 3ଦିନ ତଳେ ଖୋର୍ଦ୍ଧା ଜ଼ିଲ୍ଲା ବୋଲଗଡ଼ ରେଳ ଷ୍ଟେସନ ଠାରେ 2 ଯୁବକ ଓ ମହିଳା ଟ୍ରକରେ ଆସି ପହଞ୍ଚିଥିଲେ l ସେଠାରେ ମହିଳା ଜଣଙ୍କ କୌଶଳକ୍ରମେ ଅପରାଧୀଙ୍କ ଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ । ମହିଳା ଜଣଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଫତେଗଡ଼ ଥାନା ଅଞ୍ଚଳରେ ବୁଲୁଥିବାବେଳେ ଖବର ପାଇଁ ଫତେଗଡ଼ ଥାନାଧିକାରୀ ତାଙ୍କୁ ଉଦ୍ଧାର କରିଥିଲେ ।
ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ତାଙ୍କର ଡାକ୍ତରୀମାଇନା କରିଥିଲା ପୋଲିସ । ଏ ନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ମହିଳାଙ୍କ ପରିବାର ପକ୍ଷରୁ ମଧ୍ୟ ବାଲେଶ୍ବରରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । ମହିଳାଙ୍କ ଏକ 4 ବର୍ଷର ଝିଅ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ମହିଳାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ଦୁଇ ଅପହରଣକାରୀ ଯୁବକ ଫେରାର ହୋଇଯାଇଛନ୍ତି। ଏନେଇ ନୟାଗଡ଼ ଏସପି ଜିଲ୍ଲାର ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ