ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷ ଦିନରେ ନୟାଗଡ଼ ଜିଲ୍ଲାରେ ମୋଟ ୩ ହଜାର ୯୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ଜିଲ୍ଲାର ୨୪ଟି ଜୋନ୍ର ପ୍ରାର୍ଥୀ l ଶେଷ ଦିନରେ କିଛି ଘଣ୍ଟା ପୂର୍ବରୁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିଲା ।
ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କଂଗ୍ରେସ ଗୁରୁବାରଠାରୁ ଅନେକ ପ୍ରାର୍ଥୀଙ୍କ ନାମାଙ୍କନ କରିଥିବା ବେଳେ ଅବଶିଷ୍ଟ ଶୁକ୍ରବାର ନାମାଙ୍କନ କରିଛନ୍ତି l ତେବେ ବିଜେଡି ଏବଂ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଜେଡି ସମସ୍ତ ଆସନ ଅକ୍ତିଆର କରିବ ବୋଲି ଦୃଢ଼ୋକ୍ତି ଦେଇଛି ।
ବିଜେପି ମଧ୍ୟ ଅଧାରୁ ଅଧିକ ଆସନରେ ବିଜୟୀ ହେବ ବୋଲି କହିଛି । କଂଗ୍ରେସ କେବଳ ନାଁ ରଖିବାକୁ ଏକାଧିକ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଛି । ତେବେ ଏଠାରେ ଆଗାମୀ ଦିନରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା । ଶେଷ ଦିନରେ ନୟାଗଡ଼ରେ ୭୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୩୯୧ ଜଣ ପଞ୍ଚାୟତ ସମିତି ସଭ୍ୟ, ୪୪୭ ଜଣ ସରପଞ୍ଚ ଏବଂ ୨୧୮୮ ଜଣ ୱାର୍ଡ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ