ନୟାଗଡ: ପ୍ରଥମେ ପ୍ରେମ ପରେ ପ୍ରତାରଣା । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ନୟାଗଡ ଟାଉନ ଥାନାରୁ । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଛି ପ୍ରତାରକ ପ୍ରେମିକ । ଆଉ ଏବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା ପ୍ରେମିକା ।
ସୂଚନାନୁସାରେ, ଖୋର୍ଦ୍ଧା ଜଟଣୀ ଅଞ୍ଚଳର ପୀଡ଼ିତା ଅନେକ ସମୟରେ ନୟାଗଡ଼ସ୍ଥିତ ନିଜ ସମ୍ପର୍କୀୟଙ୍କୁ ଘରକୁ ଆସଥାନ୍ତି । ଏହି ସମୟରେ ନୟାଗଡ ପଠାଣି ସାମନ୍ତ ନର୍ସିଙ୍ଗ ସ୍କୁଲ ଓ କଲେଜ ମାଲିକଙ୍କ ପୁଅ ଶୁଭମ ସୁଜ୍ଞାନ ସାମନ୍ତରାୟ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଆଉ ଭଲ ପାଇବାର କିଛି ଦିନ ପରେ ବିବାହର ପ୍ରଲୋଭନ ଦେଖାଇ ଉଭୟ ଏକ ଭଡା ଘରେ ରହିଥିଲେ । ପାଖାପାଖି ଦୁଇମାସ ଉଭୟ ଭଲରେ ରହିଥିଲେ l ତା'ପରେ 2 ଜଣଙ୍କ ମଧ୍ୟରେ ରହିଥିଲା ଶାରୀରିକ ସମ୍ପର୍କ । ପରେ ଝିଅ ଜଣକ ବିବାହ କରିବାକୁ କହିବାରୁ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଥିଲା ଶୁଭମ । ଏପିରିକି ଏଥିପାଇଁ ନୀରବ ରହିବାକୁ ଟଙ୍କା ପ୍ରଲୋଭନ ଦେଖାଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ପୀଡିତ ।
ତେବେ ପୀଡିତା ଜଣକ ଶୁଭମଙ୍କ କୌଣସି ପ୍ରଲୋଭନରେ ରାଜି ନହୋଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ କୋର୍ଟରେ 164 ଧାରାରେ ପୀଡିତାଙ୍କ ବୟାନ ରେକର୍ଡ ହେବା ସହ ଡାକ୍ତରୀ ମାଇନା ହୋଇଛି । ଅଭିଯୁକ୍ତ ଜଣକ ନୟାଗଡର ପ୍ରଭାଵଶାଳୀ ବ୍ୟକ୍ତିଙ୍କ ପୁଅ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ରହୁଥିବା ଅଭିଯୋଗକୁ ମଧ୍ୟ ପୋଲିସ ଖଣ୍ଡନ କରିଛି । ଏହା ଏକ ଗୁରୁତର କେସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ସାଙ୍ଗକୁ ଫୋନ ଟ୍ରାକ୍ କରାଯାଉଥିବା କହିଛନ୍ତି ନୟାଗଡ଼ ଏସଡ଼ିପିଓ ନିରଞ୍ଜନ ପାଢୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ