ନୟାଗଡ଼: ପଦବୀ ହରାଇଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ । ତାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ । ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ନିର୍ବାଚିତ ୱାର୍ଡ ମେମ୍ବରମାନେ ତାଙ୍କ ବିରୋଧରେ ଭୋଟ ଦେଇଛନ୍ତି ।
ଆଜି (ମଙ୍ଗଳବାର) ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତୀୟ ମତଦାନ। ଏହି ମତଦାନବେଳେ ଗ୍ରାମ ପଞ୍ଚାୟତର 16 ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ 15 ଜଣ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ୱାର୍ଡ ସଭ୍ୟ ଅନାସ୍ଥା ସପକ୍ଷରେ ମତଦାନ କରିଛନ୍ତି । ଫଳରେ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଊର୍ଦ୍ଧ୍ବ ଭୋଟ ପଡିଥିଲା ।
ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଉର୍ଦ୍ଧ୍ବ ୱାର୍ଡ ସଭ୍ୟ ସ୍ଵାକ୍ଷର କରି ଅନାସ୍ଥା ସଂକ୍ରାନ୍ତରେ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ତେବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଗତ ମାର୍ଚ୍ଚ 30 ତାରିଖରେ ଏନେଇ ସରପଞ୍ଚଙ୍କ ସମେତ ନୟାଗଡ଼ ବିଡ଼ିଓଙ୍କୁ ଏକ ନୋଟିସ ଦେଇଥିଲେ । ଉକ୍ତ ନୋଟିସ ଅନୁସାରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇ ୱାର୍ଡ ସଭ୍ୟମାନଙ୍କ ମତଦାନ ନିଆଯାଇଛି।
ପରୀ ହତ୍ୟା ଘଟଣାରେ ସରପଞ୍ଚ ସୌମ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଏବଂ ଅଙ୍ଗ ତସ୍କରୀ ବିଷୟରେ ମୁହଁ ଖୋଲି ଥିବାରୁ ତାଙ୍କୁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପ୍ରଶାସନ କରାଇ ଦେଉ ନଥିବା ପୂର୍ବରୁ ଅଭିଯୋଗ କରି ଆସିଛନ୍ତି ସୌମ୍ୟ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ