ନୟାଗଡ: ଗାଁ ଦାଣ୍ଡରେ ମାଡ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ l ଏହି ଗାଁର ଜଣେ ପ୍ରଭାଵଶାଳୀ ବିବାହିତ ବ୍ୟକ୍ତି ଠୁକୁ ବିଶ୍ୱାଳ ଗାଁର ଜଣେ ବିବାହିତା ମହିଳାଙ୍କୁ ଧରି ଚମ୍ପଟ ମାରିଥିଲେ l
ତେବେ ବିବାହିତା ମହିଳାଙ୍କୁ ଖୋଜି ପରିବାର ଲୋକେ ନୟାନ୍ତ ହୋଇଥିବା ବେଳେ ତାଙ୍କର ପତ୍ତା ପାଇ ନ ଥିଲେ l ମାତ୍ର ଘଟଣା ସମ୍ପର୍କରେ ଜାଣିଥିବା ଗାଁର ଜଣେ ନାବାଳିକା ଏ ବିଷୟରେ କହି ଦେବାରୁ ସେହି ପ୍ରଭାଵଶାଳୀ ବ୍ୟକ୍ତି ଠୁକୁ ବିଶ୍ୱାଳ ଗାଁ ଦାଣ୍ଡକୁ ନାବାଳିକାଙ୍କୁ ଭିଡି ଆଣି ମାଡ ମାରି ଲହୁ ଲୁହାଣ କରିଥିଲେ l
ଏହି ଘଟଣା ଜଣାପଡିବା ପରେ ନାବାଳିକାର ପରିବାର ଲୋକେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ନାବାଳିକାର ପରିବାର ଲୋକେ ନୟାଗଡ଼ ଏସପିଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିଥିଲା l ମାତ୍ର ଗାଁର ଘଟଣା ଥାନାକୁ ଯିବାରୁ ଗ୍ରାମବାସୀମାନେ ରାଗିଯାଇ ଗାଁରେ ସଭା କରି ନାବାଳିକା ପରିବାରକୁ ଡକାଇ ନିଆଁ ପାଣି ବାସନ୍ଦ ଦଣ୍ଡ ସହ ତାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଗୃହ ବନ୍ଦୀ କରି ରଖିଛନ୍ତି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ