ନୟାଗଡ଼: ଏସଆଇଟି ଟିମକୁ ଯଦୁପୁର ଗାଁ ଲୋକଙ୍କ ବିରୋଧ। ଗାଁ ମୁଖ୍ୟ ରାସ୍ତାରେ ବାଉଁଶ ପକାଇ ରାସ୍ତା ବନ୍ଦ କଲେ ଯଦୁପୁରବାସୀ। ବହୁ ଚର୍ଚ୍ଚି ନୟାଗଡ଼ ପରୀ ହତ୍ୟାକାଣ୍ଡକୁ ନେଇ ତଦନ୍ତକୁ ଜୋରଦାର କରୁଛି ଏସଆଇଟି। ଏଥିପାଇଁ ଅନେକ ଲୋକଙ୍କୁ ତଦନ୍ତ ପରିସର କରି ତଦନ୍ତ କରୁଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ। ତେବେ ଆଜି(ମଙ୍ଗଳବାର) ଯଦୁପୁରରେ ଚଢ଼ାଉ ବେଳେ ଯଦୁପୁରର ହରିଜନ ସାହି ବାସିନ୍ଦା ଏହାକୁ ବିରୋଧ କରିଛନ୍ତି।
ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗାଁରେ ମନଇଚ୍ଛା ପଶୁଥିବା ଅଭିଯୋଗ ହୋଇଛି। ଏହାସହ ତଦନ୍ତ ନାଁରେ ଯଦୁପୁର ଯୁବକମାନଙ୍କୁ ଉଠାଇ ନେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି l ଆଜି(ମଙ୍ଗଳବାର) ସକାଳୁ ତଦନ୍ତ ପାଇଁ ମାନସ ନାହାକ(୨୯) ନାମକ ଜଣେ ଯୁବକକୁ ଏସ୍ଆଇଟି ଉଠାଇ ନେଉଥିଲା। ଏହି ସମୟରେ ହରିଜନ ସାହିବାସୀ ଏହାକୁ ଜୋରଦାର ବିରୋଧ କରିଥିଲେ। ଫଳରେ ଏସ୍ଆଇଟି ସଦସ୍ୟ ଗାଁରୁ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି।
ଗାଁ ଲୋକଙ୍କ କହିବା କଥା ହେଲା ଏହି ସାହିରେ ବହୁ ଗରିବ ଶ୍ରେଣୀର ଲୋକ ଅଛନ୍ତି। ସିଭିଏଁ ପ୍ରାୟ ଦିନ ମଜୁରିଆ ଭାବରେ କାମ କରି ପେଟ ପୋଷୁଛନ୍ତି। ଏସଆଇଟି ଏଭଳି ଜଣଙ୍କ ପରେ ଜଣଙ୍କୁ ଉଠାଇନେବା ଫଳରେ ତାଙ୍କ ପରିବାର ଲୋକ ନାନା ହଇରାଣ ହେଉଥିବା ଅଭିଯୋଗ ହୋଇଛି। ମାନସ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ବେଆଇନ ଭାବରେ ତାଙ୍କୁ ଏସଆଇଟି ଉଠାଇ ନେଉଥିଲା। ଏହାକୁ ନେଇ ହରିଜନ ସାହିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଯଦୁପୁରର ସବର୍ଣ୍ଣ ସାହିରେ ପରୀ ହତ୍ୟାକାଣ୍ଡ ହୋଇଛି। ତେବେ ରାଜନୈତିକ ଷଡ଼ଯନ୍ତ୍ର ପାଇଁ ହରିଜନ ସାହିର ଲୋକଙ୍କୁ ଫସେଇବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ହରିଜନ ବାସିନ୍ଦା। ଏଥିପାଇଁ ଏସଆଇଟି ଟିମକୁ ବିରୋଧ କରିବା ସହ ଗାଁ ମୁଖ୍ୟ ରାସ୍ତାରେ ବାଉଁଶ ଲଗାଇ ବାଡ଼ ପକେଇ ଦେଇଛନ୍ତି ଗାଁ ଲୋକେ। ପୋଲିସ ହେଉ କି ଏସ୍ଆଇଟି ହେଉ କାହାରିକୁ ସାହି ଭିତରକୁ ପୁରେଇ ଦେବୁନି ଵୋଲି ରୋକଠୋକ କହିଛନ୍ତି ହରିଜନ ସାହି ବାସିନ୍ଦା।
ଗତ ଜୁଲାଇ ମାସରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା। ଏହାର କିଛି ଦିନ ପରେ ତାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା। ମାନବ ଅଙ୍ଗ ତଷ୍କରୀ କରାଯାଇ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏସଆଇଟି ଟିମ ଗଠନ ହୋଇ ତଦନ୍ତ ଜାରି ରହିଥିବା ବେଳେ ଗାଁ ଲୋକଙ୍କ ଏସଆଇଟିକୁ ବିରୋଧ କରିବା ସଭିଙ୍କୁ ଚକିତ କରିଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ