ନୟାଗଡ଼: ପହଞ୍ଚିପାରିଲାନି ଜିଲ୍ଲା ପ୍ରଶାସନ । ଶେଷରେ ଆଖି ବୁଜିଲା ଅଜଣା ରୋଗରେ ପୀଡିତ ପାଣୁ । ଏଭଳି ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଜିଲ୍ଲାରେ ରଣପୁର NAC ଅନ୍ତର୍ଗତ 6 ନମ୍ବର ୱାର୍ଡର ପାଣୁ ମହାପାତ୍ର ଦୀର୍ଘ ବର୍ଷ ହେବ ଅଜଣା ରୋଗରେ ପୀଡିତ ହୋଇ ଅସହ୍ୟ କଷ୍ଟ ଯନ୍ତ୍ରଣା ଭୋଗୁଥିଲେ l ପରେ ସେ ଟିବି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା l ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ l ତେଣୁ କିଛି ସ୍ଥାନୀୟ ଯୁବକ ଏବଂ ରଣପୁର ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ଏବଂ ପ୍ରିନ୍ସ ଫାଉଣ୍ଡେସନ ପାଣୁର ପରିବାରକୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିଲେ l ମାତ୍ର ପାଣୁକୁ ସରକାରୀ ସହାୟତା ନା ଆବଶ୍ୟକୀୟ ଚିକିତ୍ସା ମିଳିପାରିଲା ନାହିଁ l ଚିକିତ୍ସା ଓ ସରକାରୀ ସହାୟତା ନମିଳିବାରୁ ଅକାଳରେ ଚାଲିଗଲା ପାଣୁଙ୍କ ଜୀବନ l ପାଣୁର ମୃତ୍ୟୁରେ ସାରା ପରିବାର ଭାଙ୍ଗିପଡ଼ିଥିବା ବେଳେ ପାଣୁର ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ